ମହଙ୍ଗା ପଡ଼ିଲା ପୁଲିସକୁ ଢେଲାପଥର ମାଡ଼: ଭୁବନେଶ୍ୱର ପଦ୍ମକେଶରୀପୁରରେ ପୁରୁଷଙ୍କ ପରେ ବନ୍ଧା ହେଲେ ୫୪ ଜଣ ମହିଳା

214

କନକ ବ୍ୟୁରୋ: ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ପୂରା ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଥବା ବେଳେ ଯୁଆଡ଼େ ଦେଖିବ, କୋକୁଆ ଭୟ । ଘଟଣାରେ ଏପର୍ଯ୍ୟନ୍ତ ୧୩୨ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୫୪ ହେଉଛନ୍ତି ମହିଳା । ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ପୁଲିସ କହିଛି ।

ପଦ୍ମକେଶରୀପୁର ଗାଁ ଏବେ ଜନଶୂନ୍ୟ । ତାଟି କବାଟ ପଡ଼ିଯାଇଛି । ଦୋକାନ ଏବଂ ଘରେ ଘରେ ତାଲା ଝୁଲୁଛି । ପୂରା ପରିବେଶରେ କୋକୁଆ ଭୟ । ପଦାକୁ ଗୋଡ଼ କାଢ଼ିଲେ ପୁଲିସ ଥାନାକୁ ଟେକି ନେଉଛି । କିଏ ଭୟରେ ଗାଁ ଛାଡ଼ି ବାହାରକୁ ପଳାଉଛନ୍ତି, ତ ପୁଣି କିଏ ଘର ଭିତରେ ଲୁଚିକି ରହୁଛନ୍ତି । କେତେକଙ୍କ ଘରେ ତ ରୋଷେଇ ବି ହେଉନି । ଏହାରି ଭିତରେ ଜଣେ ଭିନ୍ନକ୍ଷମ ଶିଶୁର କାହାଣୀ ସାମ୍ନାକୁ ଆସିଛି । ବାପା-ମାଆଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ପଡ଼ୋଶୀ ନେଉଛନ୍ତି ତାଙ୍କର ଦାୟିତ୍ୱ । ଗାଁ ଭିତରେ କେବଳ ଛୋଟ ଛୋଟ ପିଲା ଏବଂ ବୃଦ୍ଧ-ବୃଦ୍ଧାଙ୍କୁ ଦେଖିବାକୁ ମିଳିଛି । ପରିବାର ସଦସ୍ୟମାନେ ପୁଲିସ ହେପାଜତରେ ଥିବା ବେଳେ ଛୋଟ ଛୁଆମାନେ ଉପାସରେ ଦିନ କାଟୁଥିବା କ୍ୟାମେରା ଆଗରେ କହିଛନ୍ତି ।

ମଂଚେଶ୍ୱର ଥାନା ଅଧୀନ ପଦ୍ମକେଶରୀପୁରର ଏହି ଗାଁରେ ଝିମିଟି ଖେଳକୁ ନେଇ ମହାଭାରତ ଦେଖିବାକୁ ମିଳିଥିଲା । ଦୁଇ ସାହିରେ ସାମାନ୍ୟ କଥାକୁ ନେଇ ବିଅର ବୋତଲ ମାଡଠୁ ଆରମ୍ଭ କରି ଢେଲା ପଥର ଓ ବୋମା ମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା । ଏବେବି ଗାଁର ଶାନ୍ତି ଫେରାଇ ଆଣିବାକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଥମେ ଏହି ଗାଁର ୭୭ଜଣ ପୁରୁଷଙ୍କୁ ପୁଲିସ ଗିରଫ କରିଥିଲା । ଏବେ ଗାଁରେ ଥିବା ୫୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେଥିରୁ ୫୪ ହେଉଛନ୍ତି ମହିଳା । ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ପୁଲିସ କହିଛି ।

ଏଯାବତ୍ ୧୩୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ସେପ୍ଟେମ୍ବର ୧ ତାରିଖରେ ଗାଁ ଗଣ୍ଡଗୋଳରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ୨୦ ଜଣଙ୍କୁ ପୁଲିସ ଗିରଫ କରିଥିଲା । ଜେଲ୍ ଫେରନ୍ତାମାନେ ଗାଁରେ ଦଙ୍ଗା ସୃଷ୍ଟି କରି ଏଭଳି କାଣ୍ଡ ଭିଆଇଥିଲେ ।