କନକ ବ୍ୟୁରୋ : ଅସହ୍ୟ ଗ୍ରୀଷ୍ମପ୍ରବାହ ଫଳରେ ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ଗତ ୭୨ ଘଣ୍ଟା ମଧ୍ୟରେ ୫୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪୦୦ ଲୋକ ଅସୁସ୍ଥ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପ୍ରଦେଶର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।
ଡାକ୍ତରଙ୍କ କହିବା ମୁତାବକ ମେଡିକାଲକୁ ଆସୁଥିବା ଅଧିକାଂଶ ଲୋକଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖିବାକୁ ମିଳୁଛି । ଏହାସହ ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏହି କ୍ରମରେ ଜୁନ ୧୫ ତାରିଖରେ ୨୩ ଜଣ, ୧୬ ତାରିଖରେ ୨୦ ଜଣ ଓ ୧୭ ତାରିଖରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।
ସେପଟେ ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କର ଏତେ ଭିଡ ଲାଗିଛି କି ରୋଗୀଙ୍କୁ ନେବା ପାଇଁ ଷ୍ଟ୍ରେଚରର ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ମୁତାବକ ଯଦି ଏକା ସାଂଗରେ ୧୦ ଜଣ ରୋଗୀ ଆସିଯାଉଛନ୍ତି ତେବେ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାରେ ବିଭିନ୍ନ ଅସୁବିଧା ହେଉଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଯେଉଁ ଲୋକମାନଙ୍କର ମୃତ୍ୟୁ ହୋଇଛି ସେମାନେ ଗମ୍ଭୀର ଅସୁସ୍ଥତା ସହ ମେଡିକାଲକୁ ଆସିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଏହାସହ ଅସହ୍ୟ ଗରମ ବୟସ୍କ ଲୋକ ସହିବା ବଡ କଷ୍ଟ ହୋଇପଡିଛି ।