ଆସିଲା ସଡ଼କ ଦୂର୍ଘଟଣା ରିପୋର୍ଟ : ଗତବର୍ଷ ସଡ଼କ ଦୂର୍ଘଟଣାରେ ଓଡିଶାରେ ୫୩୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ କେନ୍ଦ୍ର ସରକାର ।

313

ଓଡ଼ିଶାରେ ୨୦୧୮ରେ ସମୁଦାୟ ୧୧୨୬୨ ସଡ଼କ ଦୁର୍ଘଟଣା ହୋଇଛି। ଅର୍ଥାତ୍ ପ୍ରତ୍ୟେକ ଦିନ ଓଡ଼ିଶାରେ ପାଖାପାଖି ୩୧ଟି ସଡ଼କ ଦୁର୍ଘଟଣା ହୋଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଡ଼କ ଦୁର୍ଘଟଣା ସମ୍ପର୍କିତ ତଥ୍ୟ ରହିଛି। ରିପୋର୍ଟ ଅନୁସାରେ, ୨୦୧୮ରେ ଦେଶରେ ୧,୫୧,୪୧୭ଟି ସଡ଼କ ଦୁର୍ଘଟଣା ହୋଇଥିଲା। ଓଡ଼ିଶାରେ ୨୦୧୭ ତୁଳନାରେ ୨୦୧୮ରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି। ୨୦୧୭ରେ ୧୦,୮୫୫ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୩.୪ ପ୍ରତିଶତ ବୃଦ୍ଧି ପାଇ ୧୧,୨୬୨ରେ ପହଞ୍ଚିଛି। ରିପୋର୍ଟରେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ୫,୩୧୫ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି। ଏହି ସଂଖ୍ୟା ୨୦୧୭ ତୁଳନାରେ ୧୧ ପ୍ରତିଶତ ହାରରେ ୨୦୧୮ରେ ବୃଦ୍ଧି ହୋଇଛି। ୨୦୧୭ରେ ଓଡ଼ିଶାରେ ୪୭୯୦ ବ୍ୟକ୍ତିଙ୍କର ମତ୍ୟୁ ଘଟିଥିଲା। ହେଲେ ସଡ଼କ ଦୁର୍ଘଟଣା ମୃତ୍ୟୁ ମାମଲାରେ ଓଡ଼ିଶା ସମଗ୍ର ଦେଶରେ ଦ୍ବାଦଶ ସ୍ଥାନରେ ରହିଛି। ୨୦୧୭ରେ ତ୍ରୟୋଦଶ ସ୍ଥାନରେ ଥିଲା। ରିପୋର୍ଟ ଅନୁସାରେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୧୧,୭୯୪ ଜଣ ଲୋକ ଆହତ ହୋଇଥିଲେ। ୨୦୧୭ ତୁଳନାରେ ୨୦୧୮ରେ ଏହି ସଂଖ୍ୟା ସାମାନ୍ୟ ବୃଦ୍ଧି ହୋଇଛି। ୨୦୧୭ରେ ଆହତ ମାନଙ୍କ ସଂଖ୍ୟା ଥିଲା ୧୧,୧୯୮ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦୧୮ରେ ଓଡ଼ିଶାରେ ୪,୮୬୧ ଜଣ ପ୍ରାଣ ହରାଇଥିଲେ ବୋଲି ଉଲ୍ଲେଖ ଅଛି, ଯାହା ୨୦୧୭ ତୁଳନାରେ ଅଧିକ ଥିଲା। ୨୦୧୭ରେ ୪୩୭୨ ଜଣ ଗୁରୁତର ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।

ରିପୋର୍ଟ ଅନୁଯାୟୀ, ୨୦୧୮ରେ ଓଡ଼ିଶାର ଜାତୀୟ ରାଜପଥରେ ୪,୨୦୭ଟି ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୧୭ ତୁଳନାରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ୨୦୧୭ରେ ୪,୪୮୭ ସଡ଼କ ଦୁର୍ଘଟଣା ଓଡ଼ିଶାର ଜାତୀୟ ରାଜପଥରେ ହୋଇଥିଲା। ଜାତୀୟ ରାଜପଥରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୨୦୧୮ରେ ୧,୯୯୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୨୧୨୩ ଥିଲା। ଆହତମାନଙ୍କ ସଂଖ୍ୟା ୨୦୧୮ରେ ୪୪୯୪ ଥିବା ବେଳେ ୨୦୧୭ରେ ୪୪୮୭ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଓଡ଼ିଶାର ଜାତୀୟ ରାଜପଥରେ ଗୁରୁତର ସଡ଼କ ଦୁର୍ଘଟଣା ଅନ୍ତର୍ଗତ ୨୦୧୮ରେ ୪୮୬୧ ଦୁର୍ଘଟଣା ଘଟିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୪୩୭୨ ଥିଲା। ରିପୋର୍ଟରେ ରାଜ୍ୟ ରାଜପଥରେ ୨୦୧୮ରେ ୩୧୦୪ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୦୧୭ରେ ୩୪୪୫ ସଡ଼କ ଦୁର୍ଘଟଣା ହୋଇଥିବା ଉଲ୍ଲେଖ ଅଛି। ରାଜ୍ୟ ରାଜପଥରେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ୧୪୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ମୃତ୍ୟୁ ସଂଖ୍ୟା ଥିଲା ୧୫୫୨ଜଣ।

ରିପୋର୍ଟରେ ସଡ଼କ ଦୁର୍ଘଟଣା ଜନିତ ଘଟଣାରେ ୨୫ରୁ ୩୫ ବର୍ଷ ବୟସ ଭିତରେ ଥିବା ୧୩୭୦ ପୁରୁଷ ଓ ୧୩୮ ମହିଳା ପ୍ରାଣ ହରାଇଥିବା ଉଲ୍ଲେଖ କରାଯାଇଛି। ଓଭରଲୋଡ୍ ଯୋଗୁଁ ୧୯୭୭ ସଡ଼କ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ୯୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୪୧୯ ଆହତ ହୋଇଥିଲେ। ରିପୋର୍ଟରେ ସଡ଼କ ଦୁର୍ଘଟଣାରେ ୭୦୬ ଜଣ ପଦଯାତ୍ରୀ, ୨୦୦୮ ସାଇକେଲ ଚାଳକ ଓ ୨୧୮୪ ଜଣ ଦୁଇଚକିଆ ଚାଳକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ରିପୋର୍ଟରେ ଓଭର ସ୍ପିଡ୍ ଜନିତ ଦୁର୍ଘଟଣାରେ ୩୬୪୪ ଜଣଙ୍କ ମୃତ୍ୟୁ ଓ ମଦ୍ୟ ପାନ ଜନିତ ଡ୍ରାଇଭିଂ ଦୁର୍ଘଟଣାରେ ୫୫୫ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ୧୭୭୫ ଜଣ ଡ୍ରାଇଭର ବିନା ଲାଇସେନ୍ସ୍ରେ ଗାଡ଼ି ଚଳାଉଥିବା ମଧ୍ୟ ଉଲ୍ଲେଖ କରାଯାଇଛି।