ସ୍କୁଲରେ ୫୩ ଛାତ୍ରୀ କରୋନା ପଜିଟିଭ : ସଙ୍ଗରୋଧରେ ରହିଲେ ସମସ୍ତ ଆକ୍ରାନ୍ତ

5,047

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ସୁନ୍ଦରଗଡ଼ରୁ ଆସିଛି ଭିନ୍ନ ଚିତ୍ର । ସୁନ୍ଦରଗଡ଼ର ସେଂଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ସମସ୍ତ ଛାତ୍ରୀ ସ୍କୁଲ ହଷ୍ଟେଲରେ ରହୁଥିଲେ । ଏକା ଥରକେ ଏତେ ଛାତ୍ରୀ ପଜିଟିଭ୍ ଚିହ୍ନଟ ହେବାରୁ ସ୍କୁଲକୁ ସାତ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି ।

ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଙ୍କୁ ସଂଘରୋଧରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ସେମାନଙ୍କ ସଂଷ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରୀଙ୍କ କରୋନା ପରୀକ୍ଷା କରଯାଇଛି । ତେବେ ଏତେ ସଂଖ୍ୟକ ଛାତ୍ରୀ କିପରି ପଜିଟିଭ୍ ଚିହ୍ନଟ ହେଲେ ତାହା ଉପରେ କଂଟାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି ।

ସେପଟେ, ବୁର୍ଲା ଭୀମସାରର ୨୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଏମବିବିଏସ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି । ତେବେ କରୋନା ପଜିଟିଭି ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ ସେଂଟରରେ ଭର୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି ।

ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।