୭ ବର୍ଷର ଶିଶୁ ମୁହଁରେ ୫୨୬ଟି ଦାନ୍ତ ! ଡାକ୍ତର ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ, ଦୀର୍ଘ ୫ ଘଂଟାର ବିରଳ ଅସ୍ତ୍ରୋପଚାର ପରେ ବାହାରିଲା ଅତିରିକ୍ତ ଦାନ୍ତ ।

474

କନକ ବ୍ୟୁରୋ : ସାତ ବର୍ଷର ଜଣେ ଶିଶୁ ମୁହଁରେ ୫୨୬ଟି ଦାନ୍ତ । ଚମକି ପଡିଲେ କି ? କଥାଟି ବିଶ୍ୱାସ ନହେଲେ ବି ସତ । ଏହି ଭଳି ଆଶ୍ଚର୍ଯ୍ୟଜନକ ଖବରଟି ଆସିଛି ଚେନ୍ନାଇ ସହରରୁ । ସ୍ଥାନୀୟ ସବିତା ଡେଂଟାଲ କଲେଜରେ ଏହି ବାଳକଟି ଚିକିତ୍ସା ପାଇଁ ଆସିବା ପରେ ଖବରଟି ସାମ୍ନାକୁ ଆସିଛି । ଦୀର୍ଘ ୫ ଘଂଟାର ଅସ୍ତ୍ରୋପଚାର କରାଯାଇ ଅତିରିକ୍ତ ଦାନ୍ତଗୁଡିକୁ ବାହାର କରାଯାଇଛି । ଏହି ଶିଶୁ କମ୍ପାଉଣ୍ଡ କମ୍ପୋଜିଟ୍ ଓଣ୍ଡୋଟମ୍ ନାମକ ଏକ ରୋଗରେ ପୀଡିତ ଥିବା ଡାକ୍ତର କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶିଶୁକୁ ତିନି ବର୍ଷ ହୋଇଥିବା ବେଳେ ତାର ମାଢି ଫୁଲିବା ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଅଧିକ ପରୀକ୍ଷା କରିବା ପରେ ଏଠାରେ ଛୋଟ ଛୋଟ ଦାନ୍ତ ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଫଳରେ ଅସ୍ତ୍ରୋପଚାର ପାଇଁ ନିଷ୍ପତି ନେଇଥିଲେ ସବିତା ଡେଂଟାଲ ମେଡିକାଲ କଲେଜର ବିଶେଷଜ୍ଞ ।

ତେବେ ୫ ଘଂଟାର ଅସ୍ତ୍ରୋପଚାର ପରେ ବାହାରିଥିବା ଦାନ୍ତର ଓଜନ ପ୍ରାୟ ୨୦୦ ଗ୍ରାମ । ବିଭିନ୍ନ ଆକାରର ଏତେ ସଂଖ୍ୟାର ଦାନ୍ତ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ଧରଣର ଅସ୍ତ୍ରୋପଚାର ଏବଂ ୫୨୬ ଦାନ୍ତ ବାହାର କରିବା ବିଶ୍ୱରେ ପ୍ରଥମ ବୋଲି ସ୍ଥାନୀୟ ଡାକ୍ତର ଦାବି କରିଛନ୍ତି । ସାଧାରଣ ଭାବେ ଜଣେ ବୟସ୍କ ମୁହଁରେ ୩୨ ଦାନ୍ତ ରହିଥାଏ । ତେବେ ଚେନ୍ନାଇର ଏହି ଘଟଣା ଚିକିତ୍ସା ବିଜ୍ଞାନରେ ଏକ ବିରଳ ବୋଲି କୁହାଯାଉଛି ।