ପେନସନ୍ ପାଇଁ କୋର୍ଟରେ ଦୀର୍ଘ ବର୍ଷର ଲଢେଇ: ସ୍ୱାମୀଙ୍କ ମୃତ୍ୟୁର ୫୨ ବର୍ଷ ପରେ ମିଳିଲା ପେନସନ୍ ଟଙ୍କା

2,679

କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁର ୫୨ ବର୍ଷ ପରେ ବୃଦ୍ଧାଙ୍କୁ ମିଳିଲା ପେନସନ । ମହିଳାଙ୍କ ନିକଟରେ ଦୁଃଖ ପ୍ରକାଶ କଲେ ହାଇକୋର୍ଟ । ସ୍ୱାମୀଙ୍କ ପେନସନ ପାଇବାକୁ ବୃଦ୍ଧାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲଳିତା ମହାନ୍ତି । ବୟସ – ୮୯ ବର୍ଷ । ଘର ବାଲେଶ୍ୱର ଜିଲ୍ଲା ଅରଡ଼ ବଜାର ଅଂଚଳରେ ।

ଯେତେବେଳେ ତାଙ୍କୁ ୩୭ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ସ୍ୱାମୀ ଭୀମସେନ ମହାନ୍ତିଙ୍କ ଦେହାନ୍ତ ହୋଇ ଯାଇଥିଲା । ଓଏସଆରଟିସିରେ କାର୍ଯ୍ୟରତ ଥିଲେ ଭୀମସେନ । ଏତେ ଅଳ୍ପ ବୟସରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କୁ ଫ୍ୟାମିଲି ପେନସନ୍ ମିଳିନଥିଲା । ଜୀବନ ସାରା ଏଥିପାଇଁ ସଂଘର୍ଷ କରିଥିଲେ । ବହୁ କଷ୍ଟ ସହି ପରିବାର ଚଳାଇଥିଲେ ଲଳିତା ।

ଫ୍ୟାମିଲି ପେନସନ ପାଇବା ପାଇଁ ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ଶେଷରେ ଲଳିତ ମହାନ୍ତିଙ୍କୁ ମିଳିଛି ନ୍ୟାୟ । ଏପରିକି ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ୯ ବର୍ଷ ଲାଗିଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଳିତାଙ୍କୁ ୧୬ ଲକ୍ଷ ଟଙ୍କାର ପ୍ରୋଭିଜନାଲ୍ ପେନସନ ମିଳିଛି । ଓଏସଆରଟିସିର ଅଣ୍ଡର ସେକ୍ରେଟାରୀଙ୍କ ସହ ୪ ଜଣ ଅଧିକାରୀ ବୃଦ୍ଧାଙ୍କ ଘରକୁ ଆସି ଚେକ୍ ଦେଇଛନ୍ତି ।

ଅଦାଳତଙ୍କ ଆଦେଶ କାର୍ଯ୍ୟକାରୀ ହେବାକୁ ଏତେ ବିଳମ୍ବ ହୋଇଥିବାରୁ ମହିଳାଙ୍କ ନିକଟରେ ଦୁଃଖ ପ୍ରକାଶ କରିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଉଲ୍ଲେଖ କରି ହାଇକୋର୍ଟ କହିଛନ୍ତି – ପେନସନ୍ ଏକ ଅନୁଗ୍ରହ ନୁହେଁ । ଯେପରି ରାଜ୍ୟରେ ଜଣେ ବି ହିତାଧିକାରୀ ପେନସନ୍ ପାଇବାରୁ ବଂଚିତ ନହେବେ, ସେଥିପାଇଁ ହାଇକୋର୍ଟ ସମସ୍ତ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ପ୍ରୋଭିଜନାଲ୍ ପେନ୍ସନ୍ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଫ୍ୟାମିଲି ପେନସନ୍ ପାଇଁ ୮୯ ବର୍ଷର ବୃଦ୍ଧା ଲଳିତା ମହାନ୍ତିଙ୍କ ସଂଘର୍ଷର କାହାଣୀ, ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଦେଇଛି ।