କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ହାତଗଣତି କିଛି ଦିନ ବାକିରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଇଣ୍ଡିଆ ଟୁଡେ ସି-ଭୋଟର ତରଫରୁ ହୋଇଥିବା ମୁଡ୍ ଅଫ ଦି ନେସନ୍ ସର୍ଭେ ରିପୋର୍ଟ । ସର୍ଭେରେ ଭାଗ ନେଇଥିବା ଲୋକମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ଲୋକ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ଚାହୁଁଥିବା କୁହାଯାଇଛି । ଆଉ ଏପରି ହେଲେ ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଇଯିବେ । ସର୍ଭେର ଅଗଷ୍ଟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ କାର୍ଯ୍ୟରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ଜଣାପଡିଛି । କିନ୍ତୁ କିଛିମାସ ତଳେ ହୋଇଥିବା ସର୍ଭେରେ ମୋଦୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିଲେ ୭୩ ପ୍ରତିଶତ ଲୋକ । ଯାହା କିଛିମାସ ମଧ୍ୟରେ ୧୦ ପ୍ରତିଶତ କମିଯାଇଛି ।

Advertisment

ଲୋକପ୍ରିୟ ମାମଲାରେ ଯଦିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଭିନ୍ନ ସର୍ଭେ ସଂସ୍ଥା ଆଗରେ ରଖିଛନ୍ତି ତଥାପି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କିଛି ପଛରେ ନାହାଁନ୍ତି । ଭାରତ ଯୋଡ ଯାତ୍ରା ପରେ ଅଧିକ ମଜବୁତ ହେଉଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କୁ ମାତ୍ର ୧୬ ପ୍ରତିଶତ ଲୋକେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ସର୍ଭେରେ ଜଣାପଡିଛି । ଅନ୍ୟପଟେ ବିରୋଧୀଙ୍କ ଦ୍ୱାରା ଗଠିତ ହୋଇଥିବା ଇଣ୍ଡିଆ ମେଂଟ ବିଜେପିକୁ ୨୪ ନିର୍ବାଚନରେ ଅଟକାଇବାରେ ସଫଳ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ସର୍ଭେ ରିପୋର୍ଟ । ୫୪ ପ୍ରତିଶତ ଲୋକ କହିଛନ୍ତି ଇଣ୍ଡିଆ ମେଂଟ ବିଜେପିକୁ ହରାଇପାରିବ ନାହିଁ । ସେହିପରି ୩୩ ପ୍ରତିଶତ ଲୋକ ଇଣ୍ଡିଆ ମେଂଟ ସପକ୍ଷରେ ଭୋଟ୍ ଦେଇଛନ୍ତି ।