ଅଭିନେତା ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର : ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

91

କନକ ବ୍ୟୁରୋ : ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ଏ ବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି । ଟୁଇଟ୍‌ କରି ପ୍ରକାଶ ଜାଭଡ଼େକର୍‌ ଲେଖିଛନ୍ତି, ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅନ୍ୟତମ ମହାନ୍‌ ଅଭିନେତା ରଜନୀକାନ୍ତଜୀଙ୍କୁ ୨୦୧୯ ବର୍ଷ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ । ଜଣେ ଅଭିନେତା, ପ୍ରଯୋଜକ ଏବଂ ଚିତ୍ରନାଟ୍ୟକାର ଭାବେ ତାଙ୍କର ଅବଦାନ ବ୍ୟାପକ ସ୍ୱୀକୃତି ଲାଭ କରିଛି । ଭାରତୀୟ ଚଳଚ୍ଚିତ୍ରର ଜନକ ଧୁନ୍ଦିରାଜ୍‌ ଗୋବିନ୍ଦ ଫାଲ୍‌କେଙ୍କ ନାମରେ ନାମିତ ଏହି ସମ୍ମାନଜନକ ପୁରସ୍କାର ୧୯୬୯ରେ ଆରମ୍ଭ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଏ।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଦ୍ୱାରା ଗଠିତ ‘ଡାଇରେକ୍ଟୋରେଟ୍‌ ଅଫ୍‌ ଫେଷ୍ଟିଭାଲ୍‌ସ୍‌’ଦ୍ୱାରା ‘ଦାଦାସାହେବ ଫାଲ୍‌କେ’ ପୁରସ୍କାର ପରିଚାଳନା କରିଥାଆନ୍ତି। ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଏହା ସବୁଠୁ ସମ୍ମାନଜନକ ପୁରସ୍କାର ଭାବେ ବିବେଚନା କରାଯାଏ। ପୁରସ୍କାର ଭାବେ ୧୦ ଲକ୍ଷ ଟଙ୍କାର ନଗଦ ଅର୍ଥ ସହ ଏକ ‘ସ୍ୱର୍ଣ୍ଣ କମଳ’ (ସୁବର୍ଣ୍ଣ ପଦ୍ମ) ପ୍ରଦାନ କରାଯାଏ।

୧୯୭୫ରେ କେ ବାଲଚନ୍ଦ୍ରଙ୍କର ‘ଅପୂର୍ବ ରଗନଗଲ୍‌’ ନାମକ ତାମିଲ ଚଳଚ୍ଚିତ୍ରରୁ ପ୍ରଥମେ ଅଭିନୟ ଆରମ୍ଭ କରିଥିବା ଦକ୍ଷିଣ ଭାରତୀୟ ଅଭିନେତା ରଜନୀକାନ୍ତ ‘କଲିଉଡ୍‌’ରେ ୪୫ବର୍ଷ ପୂର୍ଣ୍ଣ କରିବା ସହ ଅଭୂତପୂର୍ବ ଜନପ୍ରିୟତା ହାସଲ କରିଛନ୍ତି। ‘ଅନ୍ଧା କାନୁନ୍‌’, ‘ଗିରଫତାର୍‌’ ‘ହମ୍‌’ ‘ଜନ୍‌ଜାନି ଜନାର୍ଦ୍ଦନ୍‌’, ‘ଦୋସ୍ତି ଦୁସ୍ମନୀ’, ‘ଭଗବାନ ଦାଦା’ ଆଦି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରିଛନ୍ତି । ନିକଟ ଅତୀତରେ ସେ ଏଆର୍‌ ମୁରୁଗାଦୋସ୍‌ଙ୍କ ‘ଦରବାର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସମ୍ପ୍ରତି ରଜନୀକାନ୍ତ ‘ଅନ୍ନାତ୍ତେ’ ଚଳଚ୍ଚିତ୍ର ନିମନ୍ତେ ସୁଟିଙ୍ଗ୍‌ କରୁଛନ୍ତି । ବେଙ୍ଗାଲୁରୁର ମରାଠୀ ପରିବାରରେ ଜନ୍ମିତ ରଜନୀକାନ୍ତଙ୍କର ପ୍ରକୃତ ନାମ ଶିବାଜୀରାଓ ଗାଏକ୍‌ଓ୍ଵାଡ୍‌।