ଦେଶରେ ବେକାବୁ ହେଲାଣି କରୋନା ସ୍ଥିତି । ୫ ମାସ ପରେ ପୁଣି ଗୋଟିଏ ଦିନରେ ୫୦ ହଜାର ପାର କଲା ସଂକ୍ରମିତଙ୍କ ସଂଖ୍ୟା । ହୋଲି ପୂର୍ବରୁ ଏଭଳି ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ସରକାର

191

କନକ ବ୍ୟୁରୋ : ଦେଶରେ କରୋନା ଭୁତାଣୁର ଗତି ଏବେ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୦ ହଜାରରୁ ଉର୍ଦ୍ଧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖା ପାଖି ୫ ମାସ ପରେ ପୁଣି ଥରେ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର ହୋଇଥିବା ଜଣାପଡିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୩,୩୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି । କହିରଖୁ କି ୨୦୨୦ ଅକ୍ଟୋବର ୨୩ ତାରିଖ ଦିନ ୫୪,୩୫୦ ସଂକ୍ରମିତ ଚିହ୍ନଟ ହୋଇଥିଲେ    । ଏହାପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇ ୧୦ ହଜାର ତଳକୁ ଖସିଆସିଥିଲା ।

କରୋନା ଭୁତାଣୁ ସଂକ୍ରମଣର ବୃଦ୍ଧି ଫଳରେ ଦେଶରେ ଏବେ ଆକ୍ଟିଭ୍ ମାମଲା ୪ ଲକ୍ଷ ପାଖା ପାଖି ପହଂଚି ଯାଇଛି । ଯେତେବେଳେ କି ଦେଶରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ପାର ହୋଇଛି ।

କହିରଖୁ ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ସଂକ୍ରମିତ କେବଳ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୩୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ସହର ମାନଙ୍କରେ ସମ୍ପୂର୍ଣ୍ଣ ଲକଡାଉନ ଲଗାଇଛନ୍ତି । ଏହାସହ ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀରେ ବି କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୧୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ପଟେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ହୋଲି ଓ ଇଦ୍ ପର୍ବକୁ ନେଇ ଚିନ୍ତାରେ ପଡିଛନ୍ତି ସରକାର । ଏହି ସମୟରେ ପ୍ରାୟ ଭିଡ ପରିଲକ୍ଷିତ ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କିଭଳି ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ଜଣାପଡିବ ।