ଆନ୍ଧ୍ର ସରକାରଙ୍କ ବଡ ଘୋଷଣା । ପ୍ଲାଜମା ଦାନ କଲେ ମିଳିବ ୫ ହଜାର ଓ କୋଭିଡରେ ପ୍ରାଣ ହରାଇଲେ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ।

521

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡି ସରକାର କୋଭିଡ ସମୟରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ପ୍ଲାଜମା ଦାନକାରୀଙ୍କୁ ସରକାର ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ । ଏହାସହ କୋଭିଡ ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ରାଜ୍ୟସରକାରଙ୍କ ତଥ୍ୟ ମୁତାବକ ବର୍ତମାନ ରାଜ୍ୟରେ ୩୭ ହଜାର ଲୋକ ପ୍ଲାଜମା ଦାନ କରିବା ଭଳି ସ୍ଥିତିରେ ଅଛନ୍ତି । କୋଭିଡ ସଂକ୍ରମଣଙ୍କ ଚିକିତ୍ସା ପାଇଁ ପ୍ଲାଜମା ଆବଶ୍ୟକ ପଡୁଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପ୍ଲାଜମା କ୍ୟାମ୍ପ କରି ପ୍ଲାଜମା ସଂଗ୍ରହ କରାଯାଉଛି । ଏହାସହ ପ୍ଲାଜମା ଦାନପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି କରିବାକୁ ଏଭଳି କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆନ୍ଧ୍ର ସ୍ୱାସ୍ଥ୍ୟ ଆୟୁକ୍ତ କଟନେନୀ ଭାସ୍କର କହିଛନ୍ତି କି ପ୍ଲାଜମା ଦାନକାରୀଙ୍କ ସୂଚୀ ପ୍ରସ୍ତୁୂତ କରାଯାଉଛି । ଏହାସହ ପ୍ଲାଜମା ସଂଗ୍ରହ ଓ ତାକୁ ଷ୍ଟୋରେଜ କରିବା ପାଇଁ ବ୍ଲଡବ୍ୟାଙ୍କ ସହିତ ଯୋଗା ଯୋଗ କରାଯାଉଛି । ଏହାସହ ସେ ଆହୁରି କହିଛନ୍ତି କି, ସ୍ୱାସ୍ଥ୍ୟ ବିଭାଗର କଲସେଣ୍ଟର କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରୁଛି ।

କହିରଖୁ କି, ଆନ୍ଧ୍ରପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୨୦,୦୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୮୪,୦୨୮ ରେ ପହଂଚିଛି । ଏହାସହ ଗତ ୨୪ ଘଂଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୮,୨୮୯ କୁ ବୃଦ୍ଧି ପାଇଛି ।