ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ୫ ହଜାର କୋଟି ଟଙ୍କା ଠକି ଦେଶ ଛାଡି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ! ନାଇଜେରିଆ ପଳାୟନ କରିଥିବା ସୂଚନା

49

ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଆଉ ଜଣେ ଗୁଜରାଟୀ ବ୍ୟବସାୟୀ ଦେଶ ଛାଡି ଫେରାର । ଷ୍ଟର୍ଲିଂ ବାୟୋଟେକର ମାଲିକ ନିତିନ୍ ସନ୍ଦସେରା କୋଟି କୋଟି ଟଙ୍କାର ଋଣ ଠକେଇ କରି ବିଦେଶ ପଳାଇଛନ୍ତି । ତାଙ୍କ ବିରୋଧରେ ୫ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଋଣ ଠକେଇର ଅଭିଯୋଗ ରହିଛି । ଦେଶ ଛାଡିବା ପରେ ସେ ଦୁବାଇରେ ରହିଥିବା ଖବର ଆସିଥିଲା । କିନ୍ତୁ ସବିଆଇ ଓ ଇଡି ସୂଚନା ଅନୁଯାୟୀ ନିତିନ୍ ସନ୍ଦସେରା ନାଇଜେରିଆ ପଳାଇଥିବା ଅନୁମାନ କରାଯାଉଛି ।

ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା ଅନୁମାନ କରାଯାଉଥିବା ବେଳେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଫ୍ରିକୀୟ ଦେଶ ନାଇଜେରିଆ ସହ କୌଣସି ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ନିତିନ ସନ୍ଦସେରାଙ୍କ ପରିବାର ସେଠାକୁ ପଳାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ନିତିନଙ୍କୁ ଦୁବାଇରେ ୟୁଏଇ ଅଧିକାରୀ ମାନେ ହେପାଜତକୁ ନେଇଥିବାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା । ପରେ ନିତିନ ପରିବାର ସହ ନାଇଜେରିଆ ଚାଲି ଯାଇଥିବା ସୂଚନା ମିଳିଛି । ନାଇଜେରିଆରୁ ଭାରତ ଫେରାଇ ଆଣିବା କଷ୍ଟକର ହୋଇଥିବା ବେଳେ ସନ୍ଦସେରା ପରିବାର ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି ହେବାର ସମ୍ଭାବନା ରହିଛି ।

ଷ୍ଟର୍ଲିଂ ବାୟୋଟେକର ଦିଲ୍ଲୀ, ମୁମ୍ବାଇ, ଭଦୋଦରା, ଅହମଦାବାଦ ଓ ସୁରଟ ସମେତ ଦେଶର ପ୍ରାୟ ୫୦ଟି ସ୍ଥାନରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ଭାରତ ବ୍ୟତୀତ ୟୁଏଇ, ବ୍ରିଟେନ୍, ଆମେରିକା, ସିସିଲି ଓ ମରିସସରେ ମଧ୍ୟ ସନ୍ଦସେରାଙ୍କ ବ୍ୟବସାୟ ରହିଛି । ପ୍ରଥମେ ଔଷଧ ବିକ୍ରି କରୁଥିବା ନିତିନ ପରବର୍ତ୍ତୀ ସମୟରେ ତେଲ, ରିୟଲ ଇଷ୍ଟେଟ ଭଳି ଅନେକ ଗୁଡିଏ ବ୍ୟବସାୟ ଆରମ୍ଭ କରିଥିଲେ । ଏପରିକି ନାଇଜେରିଆ ରେ ତାଙ୍କର ତେଲର କୂଅ ଥିବା କଥା ମଧ୍ୟ ଜଣାପଡିଛି ।