ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ । ଏକାସଙ୍ଗରେ ଦଳରୁ ଇସ୍ତଫା ଦେଲେ ୫ ଶହ କର୍ମୀ

1,919

କନକ ବ୍ୟୁରୋ : ଟିକି ଅପା (ଅପରାଜିତା)ଙ୍କୁ ପ୍ରାର୍ଥୀ ଘୋଷଣା କଲା ପରେ ଏବେ ବିଜେପିର ଟେନସନ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି ।

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଦଳରୁ ୫୦୦ କର୍ମୀ ଏକାସଙ୍ଗରେ ଇସ୍ତଫା ଦେବା ପରେ ବିଜେପି ପାଇଁ ଅଡୁଆ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ତୃଣମୁଳସ୍ତରରେ କାମ କରୁଥିବା ଜିଜ୍ଞାସୁ ପଣ୍ଡାଙ୍କ ବଦଳରେ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପିକୁ ବାଏ ବାଏ କରିଛନ୍ତି ୫୦୦ରୁ ଅଧିକ କର୍ମୀ । ଜିଜ୍ଞାସୁଙ୍କୁ ପ୍ରାର୍ଥୀ କରିବାକୁ ବିଜେପିର ବଡ ବଡ ହେଭିୱେଟ ନେତାଙ୍କୁ କର୍ମୀ ମାନେ ଭେଟିଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା । ବରଂ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା କର୍ମୀ ମାନେ ଅଭିଯୋଗ ଆଣିଛନ୍ତି ।

ଗୋଟିଏ ପଟେ ବିଜେପି ବୁଥ ସ୍ତରୀୟ କର୍ମୀଙ୍କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବାସ୍ତବରେ ଏଠାରେ ତାଲିବାନ ସରକାର ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି କର୍ମୀ । ବୁଥ୍ ସ୍ତରୀୟ ନେତାଙ୍କ ବଦଳରେ ଅନ୍ୟ ଶିବିରରୁ ଆସିଥିବା ନେତାଙ୍କୁ ଦଳ ପ୍ରାଧାନ୍ୟ ଦେଉଥିବା କର୍ମୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ଜିଜ୍ଞାସୁଙ୍କୁ ଟିକେଟ ନ ଦେବା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ସିଧାସଳଖ କହିଛନ୍ତି ଜିଜ୍ଞାସୁଙ୍କ ସମର୍ଥକ । ତେଣୁ ସେମାନେ ଇସ୍ତଫା ଦେଉଥିବା କହିଛନ୍ତି କର୍ମୀ ।

ଗତ ନିର୍ବାଚନରେ ଅପରାଜିତା କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜୟ ବରଣ କରିଥିଲେ । ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ଅପରାଜିତା କଂଗ୍ରେସର ହାତ ଛାଡି ବିଜେପିରେ ମିଶିଥିଲେ । ଆଉ ଏବେ ଭୁବନେଶ୍ୱର ଉତ୍ତର ଆସନ ପାଇଁ ଅପରାଜିତାଙ୍କୁ ପ୍ରାର୍ଥୀ କରିଛି ଦଳ ।