କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜସ୍ଥାନରେ ରାଜନୈତିକ ସରଗରମ ଦେଖାଦେଇଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ କିରୋଡିଲାଲ ମୀଣା ଏଭଳି ଏକ ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୀଣା କହିଛନ୍ତି ଯେ, ଜୟପୁରରେ ୧୦୦ଟି ବ୍ୟକ୍ତିଗତ ଲକରରେ ୫୦୦ କୋଟି କଳାଧନ ଓ ୫୦ କେଜି ସୁନା ରଖାଯାଇଛି । ସେ ପୁଲିସର ଉପସ୍ଥିତିରେ ଲକର ଗୁଡିକୁ ଖୋଲିବାକୁ ଦାବି କରିଛନ୍ତି ।

Advertisment

ପ୍ରଥମେ ମୀଣା ଲକର କାହାର ବୋଲି କହିବାକୁ ମନା କରିଦେଇଥିବାବେଳେ ପରେ ଏନେଇ ସମ୍ୟକ୍ ଆଭାସ ଦେଇଥିଲେ । ୧୦୦ରୁ ୫୦ଟି ଲକର ଏବେ କାର୍ଯ୍ୟକ୍ଷମ ରହିଛି ଏବଂ ଏହା ୧୦ ଜଣ ଅଧିକାରୀଙ୍କ ନାଁରେ ରହିଛି । ଏହି ଲକର ଗୁଡିକରେ ପେପର ଲିକ୍, ଆଇଟି ଦୁର୍ନୀତି, ଜଳଜୀବନ ମିଶନ (ଜେଜେଏମ୍) ଦୁର୍ନୀତି ଭଳି ଏକାଧିକ କଳା ରୋଜଗାର ରଖାଯାଇଛି । ଏଭଳି ଦାବି ପରେ ମୀଣା ଜୟପୁର ସ୍ଥିତ ଗଣପତି ପ୍ଲାଜାରେ ଥିବା ଏକ ଘରୋଇ କମ୍ପାନୀର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଲକର ସବୁ ସେହିଠାରେ ହିଁ ରହିଛି ବୋଲି କହିଥିଲେ । ଏହାପରେ ପୁଲିସ, ଆୟକର ବିଭାଗ , ଏବଂ ଅନ୍ୟ ଏଜେନ୍ସିର ଅଧିକାରୀମାନଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରି ଲକର୍ ଖୋଲିବାକୁ ଦାବି କରିଛନ୍ତି ମୀଣା । ଏହା ପରେ ପରେ ସେଠାରେ ପହଞ୍ଚିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ।