ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ: ଗଞ୍ଜାମ ଜିଲ୍ଲାର ୫୦ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ; ଡାଇବେଟିସ, ଉଚ୍ଚରକ୍ତଚାପ, କିଡନୀ ରୋଗରେ ପୀଡିତ ଥିଲେ ମୃତକ

1,194

କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ । ରାଜ୍ୟରେ ଆଜି ଆଉ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଜଣେ ସଂକ୍ରମିତଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୦ବର୍ଷୀୟ ବ୍ୟକ୍ତି । ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ, ଉଚ୍ଚରକ୍ତଚାପ, କିଡନୀରୋଗରେ ପୀଡିତ ଥିଲେ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ  ସଂଗରୋଧ କେନ୍ଦ୍ରରୁ ୧୭୧ ଏବଂ ସ୍ଥାନୀୟ ଅଂଚଳରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି ଏହା ମଧ୍ୟରେ । କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସରକାର । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ହୋଇଛି । ୧୮୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ହଜାର ୯ ଶହ ୯ ଜଣଙ୍କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ୧୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଏନଡିଆରଏଫ୍ , ଓଡ୍ରାଫ୍ ଓ ଅଗ୍ନିଶମର ୧୩ ଜଣ ଯବାନ ରହିଛନ୍ତି । ଏମାନେ ସମସ୍ତେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ୧୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୮୬ ଜଣ କରୋନା ସଂକ୍ରମିତ ହେଲେଣି ।

ସେହିପରି କନ୍ଧମାଳ ଜିଲ୍ଲାରୁ ରହିଛନ୍ତି ସର୍ବାଧିକ ୨୨ ଜଣ । ଖୋର୍ଧାରୁ ୨୧, କଳାହାଣ୍ଡି ଓ ବରଗଡରୁ ୧୬ ଜଣ, ଗଜପତି ୧୫, ମୟୂରଭଂଜରୁ ୧୩, ଜଗତସିଂହପୁର ଓ କେନ୍ଦୁଝରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୭, ଗଂଜାମରୁ ୪, ସୁନ୍ଦରଗଡରୁ ୩, ଢେଙ୍କାନାଳ, ବଲାଙ୍ଗିର ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ , ଭଦ୍ରକ, ଅନୁଗୁଳ ଏବଂ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ମେ ମାସର କରୋନା ଆକ୍ରାନ୍ତ ଚିହ୍ନଟର ରେକର୍ଡ ଭାଙ୍ଗିଛି ଜୁନ୍ ମାସର ଆକ୍ରାନ୍ତ ସଂଖ୍ୟା । ମେ ମାସରେ ୧୮ ଶହ ୫ ରହିଥିବା ବେଳେ ଜୁନ୍ ମାସରେ ପ୍ରଥମ ୧୪ ଦିନ ଭିତରେ ୧୯୬୧ ହେଲାଣି ।