ସ୍ୱାମୀ ଚାଲିଗଲେ, ପୁଅ ଭୁଲିଗଲା । ବ୍ରେନ ଟ୍ୟୁମରୁ କ୍ୟାନସର, ଏବେ ଆଖିକୁ ଦିଶୁନି । ବିଜୁଳି ନାହିଁ, ଭତ୍ତା ଆସୁନି- ଅସହାୟ ମହିଳାଙ୍କ ଉପରେ କାହା ନଜର ପଡୁନି…

141

କନକ ବ୍ୟୁରୋ: ସତରେ ସମୟ କେତେବେଳେ କାହାସହ କଣ କରିଦେବ ଆପଣ କିଛି କଳନା ବି କରିପାରିବେନି । ସମୟକୁ ଆପଣ ନିଷ୍ଠୁର କହି ପାରନ୍ତି ଅବା ନିର୍ଦ୍ଦୟ । କିନ୍ତୁ ସମୟର ସବୁ ସ୍ଥିତି ସବୁ ଶାସ୍ତିକୁ ମଥା ପାତି ସହିନେବା ହିଁ ଜୀବନ । ହେଲେ ସେ ଶାସ୍ତି ଯେତେବେଳେ ଅସହ୍ୟ ହୁଏ ଜୀବନକୁ ଆଉ ଦେହ ଭିତରେ ରଖିବାକୁ ଇଚ୍ଛା ନଥାଏ । ପ୍ରତି କ୍ଷଣରେ ମରି ମରି ଜିଇଁବାକୁ ପଡେ । ଏଇ ଯେମିତି ବାଲେଶ୍ୱରର ରୋଗୀଣା ମହିଳା ଜନ ଜେନା । ବୟସ ୫୦ ହେଲେ କ୍ୟାନସର ତାଙ୍କୁ ଶୁଆଇ ଦେଇଛି ବୟସର ଶେଷ ବିଛଣାରେ…

ଏଇ ଘରେ ଦିନେ ତାଙ୍କ ସୁଖର ସଂସାର ଚାଲିଥିଲା । ଘର ଅଗଣାରେ ଖୁସିମାନେ ଖେଳୁଥିଲେ । ସ୍ୱାମୀ, ପୁଅ, ଝିଅକୁ ନେଇ ହସଖୁସିରେ ତାଙ୍କ ପରିବାର ଚାଲିଥିଲା । ହେଲେ ସବୁ ସମୟ ସମୟର ଖେଳ, ନିଷ୍ଠୁର ବିଧାତା ୧୧ ବର୍ଷ ତଳୁ ତାଙ୍କ ସ୍ୱାମୀଙ୍କୁ ଛଡାଇ ନେବା ପରେ ସବୁ କିଛି ଓଲଟପାଲଟ ହୋଇଗଲା । କାମ ଦାମ କରି ପେଟ ପୋଷୁଥିବା ଜନ- ଧିରେ ଧିରେ ରୋଗାଗ୍ରସ୍ତ ହେଲେ । ସ୍ଥିତି ଏମିତି ହେଲା ତାଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ଜଣାପଡିଲା । ମାତ୍ର ଅର୍ଥାଭାବରୁ ଚିକିତ୍ସାରେ ଅବହେଳା ହେଲା । ଯାହାର ପରିଣାମ ଜନଙ୍କୁ କ୍ୟାନସର ମାଡିବସିଲା । ଆଉ ସେ ଦୃଷ୍ଟି ଶକ୍ତି ହରାଇ ବସିଲେ ।

ଦୁନିଆଟା ନଦିଶିଲେ ବି ଯଦି ଯତ୍ନ ନେବାକୁ କେହି ଥାଏ ତାହାଲେ ସେ ଅନ୍ଧାରୀ ଜୀବନ ବି ଅଧା ଆଲୁଅର ଆଶା ଭଳି ଅନୁଭବ ହେବ କିନ୍ତୁ ହାଏ, ଜନଙ୍କ ଭାଗ୍ୟରେ ସେତକ ବି ନାହିଁ । ଝିଅ ବାହାଘର ପରେ ଶାଶୁଘରେ, ଆଉ ଏପଟେ ପୁଅର ଦେଖା ଦର୍ଶନ ନାହିଁ । ଏ କାନ୍ଥରେ ଲେଖା ହୋଇଥିବା କଥା ପରି ପୁଅ ବାହାଘର ପରେ ମାଆକୁ ଛାଡି ସତରେ କୁଆଡେ ଉଡିଯାଇଛି । ତେଣୁ ସାହା କି ଆହା କହିବାକୁ କେହି ନାହିଁ । ଜନଙ୍କ ଏ ଅବସ୍ଥା ଦେଖି ପାଖ ପଡିଶା ତାଙ୍କୁ ଖାଇବାକୁ ଦେଉଛନ୍ତି, ମାନବିକତା ଦୃଷ୍ଟିକୋଣରୁ ତାଙ୍କ ସେବା ଯତ୍ନ କରୁଛନ୍ତି…

କିନ୍ତୁ ବିଡମ୍ବନାର ବିଷୟ ଯେଉଁ ଭତ୍ତାଟଙ୍କାରେ ତାଙ୍କ ତକ ଜୀବନ ଚଳିଯାଉଥିଲା ତାହା ଏବେ ଆସିବା ବନ୍ଦ ହୋଇ ଯାଇଛି । ଭତ୍ତା କାହିଁକି ଆସୁନି, କାହାକୁ ଜଣା ନାହିଁ , ଜାଣିବାକୁ ବି କେହି ନାହିଁ । ଏପରି ସ୍ଥଳରେ ବିଦ୍ୟୁତ ବିଲ୍ ଦେଇ ପାରିନଥିବାରୁ ବର୍ଷେ ହେବ ଲାଇନ୍ କାଟି ଦିଆହେଇଛି । ଯାହା ଫଳରେ ୨ ବର୍ଷ ହେବ ବିଛଣାରେ ପଡି ଅନ୍ଧାରୀ ଜୀବନ କାଟୁଥିବା ଜନଙ୍କ ଘରେ ଏବେ ଘନ ଅନ୍ଧାର । ଅସହାୟ ମହିଳା ଜନଙ୍କ ଉପରେ ଜନପ୍ରତିନିଧିଙ୍କ ନଜର ପଡୁ, ଜନଙ୍କୁ ସରକାରୀ ଯୋଜନାର ସୁବିଧା ଦିଆଯାଉ । କାରଣ ଏ ସମାଜରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ଆଉ ସେଥିପାଇଁ ବିଧି ବ୍ୟବସ୍ଥା କରାଯାଇଛି…