ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ୫୦ ହଜାରରୁ ଅଧିକ ଲୋକଙ୍କ ପେଟ ପାଟଣାକୁ ନେଇ ଚିନ୍ତା ବଢିଲା ।

159

କନକ ବ୍ୟୁରୋ: ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏ ପରିବେଶ ମଞ୍ଜୁରୀ ଥିବା ବେଳେ , ପ୍ଳାଣ୍ଟ ବନ୍ଦ ହୋଇ ଯିବ ବୋଲି ଯେଉଁ ଆଶଙ୍କା କରା ଯାଉଥିଲା ତାହା ଆଜି ସତ ହୋଇଛି । ଆଜିଠାରୁ ତାଳଚେର ଥର୍ମାଲ ପାୱାର ଷ୍ଟେସନ ପ୍ଳାଣ୍ଟ ଚାଲିବ ନାହିଁ ବୋଲି ଜଣା ପଡିଛି ।

ପରିବେଶ ମଂଜୁରୀ ସରିଯିବାରୁ ବନ୍ଦ ହୋଇଯାଇଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ । ୫୪ ବର୍ଷ ଧରି ବିଜୁଳି ପ୍ରଦାନ କରୁଥିବା ପାୱାର୍ ପ୍ଲାଂଟର ସମସ୍ତ ୬ଟି ୟୁନିଟକୁ ବନ୍ଦ କରି ଦିଆଯାଇଛି । ୪୬୦ ମେଗାୱାଟ୍ ବିଶିଷ୍ଟ ପ୍ଲାଂଟ ବନ୍ଦ ହୋଇଯିବାରୁ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ମାର୍ଚ ୩୧ରୁ ଟିଟିପିଏସ୍କୁ ବନ୍ଦ କରାଯାଇଥିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଟିଟିପିଏସ୍ କର୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଏନଟିପିସି ସେକ୍ରେଟାରୀ ନନ୍ଦିନୀ ।

କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ନିର୍ଦେଶ ପାଳନ କରିନଥିବାରୁ ମାର୍ଚ୍ଚ ୩୧ ପରଠାରୁ ଟିଟିପିଏସ ପରିଚାଳନା ପାଇଁ ଏନଟିପିସିକୁ ପରିବେଶ ମଂଜୁରୀ ମିଳିନାହିଁ । ଏଥିପାଇଁ ମାର୍ଚ୍ଚ ୨୨ ତାରିଖ ଠାରୁ ଏନଟିପିସି କର୍ତ୍ତୃପକ୍ଷ ପ୍ରର୍ଯ୍ୟାୟ କ୍ରମେ ପାୱାର ୟୁନିଟ୍କୁ ବନ୍ଦ କରିଦେଇଥିଲେ । ଏନେଇ ଉଦବେଗ୍ ପ୍ରକାଶ କରି ମାର୍ଚ୍ଚ ୨୪ରେ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସ୍ଥାପନ ପାଇଁ ଅନୁମୋଦନ କରି ସାରିଥିବାରୁ ଟିଟିପିଏକୁ କାର୍ଯ୍ୟକ୍ଷମ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ କେନ୍ଦ୍ର ସରକାର ପରିବେଶ ମଂଜୁରୀ ଦେଇ ନାହାନ୍ତି କି ପ୍ଲାଂଟର ସଂପ୍ରସାରଣ ଏବଂ ନବୀକରଣ କରାଇନାହାନ୍ତି ।

ତେବେ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ହୋଇଯିବାରୁ ପ୍ରଭାବିତ ହୋଇଛନ୍ତି ୧୪ ଶହ ଠିକା କର୍ମଚାରୀ । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ପେଟ ପାଟଣାକୁ ନେଇ ଚିନ୍ତା ବଢିଛି ।

Comments are closed.