ଖାଦ୍ୟରେ ବିଷକ୍ରିୟା ଅଭିଯୋଗ: ଝାଡାବାନ୍ତି ସହ କୋରାପୁଟ ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ୫୦ ଛାତ୍ରୀ ଅସୁସ୍ଥ, ୧୦ ଗୁରୁତର ।

76

କନକ ବ୍ୟୁରୋ: ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କୋରାପୁଟ ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ହଠାତ୍ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଝାଡାବାନ୍ତି ସହ ପେଟ ବ୍ୟଥା ହୋଇଥିଲା । ଖବର ପାଇ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୫ ଜଣିଆ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ପରେ ସମସ୍ତଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟମାନଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି । ଆଜି କୋରାପୁଟରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଛାତ୍ରୀବାସକୁ ଯାଇ ନମୁନା ସଂଗ୍ରହ କରିବେ ।

ଅନ୍ୟପଟେ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ପାନ୍ଦଡା ହରିଶ୍ଚନ୍ଦ୍ର ବିଦ୍ୟାମନ୍ଦିରର ଛାତ୍ରୀ ନିବାସରେ ଭୋଜି ଖାଇ ହଠାତ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀଜଣଙ୍କ ତୃତୀୟ ଶ୍ରେଣୀରସୌଦାମିନୀ ମାରାଣ୍ଡି ବୋଲି ଜଣାପଡିଛି । ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଛାତ୍ରୀ ଜଣକ ଦୁଇଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଭୁଲ ଚିକିତ୍ସା ପାଇଁ ଛାତ୍ରୀର ମୃତ୍ୟୁ ହୋଇଥିଲା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।