ରାୟଗଡାରେ ଲକ୍ଷ୍ୟଚ୍ୟୁତ ସରକାରୀ ଯୋଜନା: ୩ଟି ବ୍ଲକରେ ୫ ବର୍ଷରେ ୫୦ ପ୍ରତିଶତ ହିତାଧିକାରୀଙ୍କୁ ମିଳିପାରି ନାହିଁ ଆବାସ ଗୃହ

52

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ଲକ୍ଷ୍ୟଚ୍ୟୁତ ହୋଇଛି ଆବାସ ଯୋଜନା । ଧାର୍ଯ୍ୟ ଲକ୍ଷ୍ୟରେ ପହଂଚିବା ତ ଦୂରର କଥା, ଗତ ୫ ବର୍ଷରେ ୫୦ ପ୍ରତିଶତ ହିତାଧିକାରୀଙ୍କୁ ମିଳିପାରି ନାହିଁ ଆବାସ ଗୃହ । ଗ୍ରାମାଂଚଳରେ ଲକ୍ଷ୍ୟ ଠାରୁ ଅନେକ ଦୂରରେ ଥିବା ଏହି ଯୋଜନା, ସହରାଂଚଳରେ ଆରମ୍ଭରୁ ଝୁଂଟିଛି । ଗ୍ରାମାଂଚଳର ଏହି ଘର ଗୁଡିକୁ ଦେଖି ଆପଣମାନେ ଜାଣି ପାରୁଥିବେ । ଆର୍ଥୀକ ଅନଗ୍ରସର ତଥା ଗରିବ ଶ୍ରେଣୀର ଲୋକଙ୍କୁ ପକା ଘରେ ରଖିବା ପାଇଁ ପର୍ଯ୍ୟାୟକ୍ରମେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ତେବେ ମିଳିଥିବା ସୂଚନା ଅନୁଶାରେ ଜିଲ୍ଲାର ଗୁଡାରୀ, ଗୁଣୁପୁର ଓ ରାୟଗଡା ସହରାଂଚଳରେ ଆରମ୍ଭରୁ ଝୁଟୁଂଛି ଆବାସ ଯୋଜନା ।

ଏହି ତିନୋଟି ସହରାଂଚଳରେ ଗତ ୫ ବର୍ଷରେ ମୋଟ ୨ ହଜାର ୭୬୯ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି । ମାତ୍ର ୪୪ ପ୍ରତିଶତଙ୍କ ଘର ନିର୍ମାଣ ଶେଷ ହୋଇଛି । ୯୧୦ ଜଣ ହିତାଧିକାରୀଙ୍କ ଘର ନିର୍ମାଣ କାମ ଚାଲୁ ରହିଥିବା ସ୍ଥଳେ ୯୨୯ଟି ଘର କାମ ଏଯାଏଁ ଆରମ୍ଭ ହୋଇନାହିଁ । ସେହିପରି ରାୟଗଡା ପୌରାଂଚଳରେ ବି ଆବାସ ସ୍ଥିତି ଆହୁରି ଉଦ୍ବେଗଜନକ । ୧ ହଜାର ୪୭୫ଜଣ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧ ହଜାର ୨୨୦ଟି ଘର ତିଆରି ସରିଛି । ୪୦୭ଟି ଘରର ନିର୍ମାଣ କାର୍ଯ୍ୟ ଚାଲିଛି । ୩୪୭ଟି ଘରର ମୁଳୁଦୁଆ ବର୍ତମାନ ସୁଧା ପଡିନାହିଁ । ଅନ୍ୟପଟେ ଗ୍ରାମାଂଚଳରେ ଆବାସ ନିର୍ମାଣ କାମ ୮୭ ପ୍ରତିଶତ ଶେଷ ହୋଇଛି । ୨୦୧୭ରୁ ୨୦୨୧ ଭିତରେ ୪୦ ହଜାର ୫୯୩ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ୩୫ ହଜାର ୩୮୧ଟି ଘର ନିର୍ମାଣ କାମ ଶେଷ ହୋଇଛି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଆର.ଏନ. ତ୍ରିପାଠୀ କହିଛନ୍ତି, ସହରାଂଚଳରେ ଜାଗା ସମସ୍ୟା ଯୋଗୁଁ ଆବାସ ଯୋଜନାରେ ଘର ନିର୍ମାଣ କଛପ ଗତିରେ ଚାଲୁଛି ।