ଦେଶରେ ମୋଟ ସଂକ୍ରମଣର ୫୦ ପ୍ରତିଶତ ମହାରାଷ୍ଟ୍ର ଓ କେରଳରୁ ହେଉଛନ୍ତି ଚିହ୍ନଟ । ତୃତୀୟ ଲହରର ମିଳୁଛି କି ସଂକେତ ?

111

କନକ ବ୍ୟୁରୋ: ଦେଶରେ ସଂକ୍ରମଣ କମି ଜୀବନ ଧାରା ସ୍ୱାଭାବିକ ହେଉଥିବା ବେଳେ, ମହାରାଷ୍ଟ୍ର ଆଉ କେରଳରୁ ଯେଉଁ ଖବର ଆସିଛି ତାହା ଚିନ୍ତାଜନକ । ଏହି ଦୁଇ ରାଜ୍ୟରୁ ସାରା ଦେଶର ୫୩% କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ୬୭୪୦କୁ କରୋନା ସଂଖ୍ୟା ଖସିବା ପରେ ଲଗାତର ତିନି ଦିନ ହେଲା ବଢିଚାଲିଛି । ସେହିଭଳି କେରଳରେ ଦୈନିକ ସଂକ୍ରମଣ ସଂଖ୍ୟା ୧୩ ହଜାର ଉପରେ ।

ଯଦିଓ ସାରା ଦେଶରେ ପଜିଟିଭ୍ ହାର ୨.୬% ରହିଛି, ହେଲେ ଦୁଇ ରାଜ୍ୟରେ ସଂଖ୍ୟା ବଢିବା ଚିନ୍ତାର କାରଣ ପାଲଟିଛି । ସେହିଭଳି ମସୁରୀରୁ ଆସିଥିବା ଚିତ୍ରକୁ ସମସ୍ତଙ୍କ ସାମ୍ନାରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରଶ୍ନ କରିଛି, ଆମେ କୁଆଡେ ଯାଉଛେ? ମଜ୍ଞଶହକ୍ସହ କେମ୍ପଟି ଫଲ୍ସର ଏକ ଚିତ୍ରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ଦେଶ ସାମ୍ନାରେ ରଖିଛି । ଯେଉଁଠି ଲୋକ କୈାଣସି କୋଭିଡ୍ ନିୟମ ମାନୁନଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ଏହି ଫଟୋ ଜରିଆରେ ସ୍ୱାସ୍ଥ୍ୟ ବିଭାଗ କହିଛି

-ନିଜକୁ ସଂକ୍ରମିତ କରିବାକୁ ଆମେ କରୋନାକୁ ଖୋଲା ନିମନ୍ତ୍ରଣ ଦେଉଛେ
-ଗୋଷ୍ଠୀ ସଂକ୍ରମଣ ଅନେକାଂଶରେ ଆମ କାର୍ଯ୍ୟକଳାପ ଉପରେ ନିର୍ଭର କରେ
-ଦେଶ ଏବେ ବି କରୋନାର ଦ୍ୱିତୀୟ ଲହର ସହ ଲଢୁଛି
-କରୋନା ସଂକ୍ରମଣ ସରିଗଲା ଭାବି ଏଭଳି ବ୍ୟବହାର କେତେ ଯୁକ୍ତିଯୁକ୍ତ?

ଅସ୍ତବ୍ୟସ୍ତ କରିଦେଇଥିଲା କରୋନାର ଦ୍ୱିତୀୟ ଲହର । ୪ ଲକ୍ଷ ୧୪ ହଜାର ସଂଖ୍ୟାକୁ ଅତିକ୍ରମ କରିବା ପରେ ଯେତେବେଳେ ଗ୍ରାଫ୍ ତଳମୁହାଁ ହେଲା ଅନେକ ରାଜ୍ୟ ନିୟମକୁ କୋହଳ କଲେ । ହେଲେ ଏହାର ଅର୍ଥ ନିୟମ ଭାଙ୍ଗି ନୁହେଁ ତୃତୀୟ ଲହରକୁ ନିମନ୍ତ୍ରଣ ଦେବା ।

-ୟୁକେ, ଋଷିଆ, ବାଂଲାଦେଶ, ଆଉ ସାଉଥକୋରିଆ କିଭଳି କରୋନା ସଂକ୍ରମଣ ଦ୍ୱାରା ପୁଣି ପ୍ରଭାବିତ ହେଲେଣି।
-ସାଉଥ କୋରିଆରେ ସଂଖ୍ୟା ବଢିବା ପରେ ସେଠାରେ ମାସ୍କ ପିନ୍ଧିବା ପୁଣି ବାଧ୍ୟତାମଳୂକ କରାଯାଇଛି
-ବାଂଲାଦେଶରେ ରେକର୍ଡ କୋଭିଡ୍ ସଂଖ୍ୟା ଆଉ ମୃତ୍ୟୁ ପରେ ଦେଶରେ ପୁଣି ଲକଡାଉନ ଲାଗିଛି
-ୟୁରୋ କପ୍ ୨୦୨୦ ପାଇଁ ଋଷିଆରେ ସଂକ୍ରମଣ ବ୍ୟାପିଲା ତେଣୁ ଫ୍ୟାନ୍ ଜୋନ୍କୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
-ୟୁକେରେ ମଧ୍ୟ ୟୁରୋ କପ୍ ୨୦୨୦ର ସାଂଘାତିକ ପ୍ରଭାବ ପଡିଛି । ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଆଗାମୀ ଦିନରେ ଏହାର ଆହୁରି ଖରାପ ପ୍ରଭାବ ପଡିବ ବୋଲି ଅନୁମାନ କରାଗଲାଣି ।

ଏହି ତମାମ ଦିଗ ହିଁ ପ୍ରମାଣିତ କରୁଛି, ଯେଉଁଠି କରୋନା ଗାଇଡଲାଇନର ଖୋଲା ଉଲ୍ଲଂଘନ ହେଉଛି, ସେହି ସ୍ଥାନରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ଦେଶ ଦ୍ୱିତୀୟ ଲହରକୁ ମୁକାବିଲା କରୁଥିବା ବେଳେ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ କରୋନାର ତୃତୀୟ ଲହରର ସତର୍କ ଘଂଟି ବଜାଇଛି ସ୍ୱାସ୍ଥ୍ୟ ବିଭାଗ ।