କନକ ବ୍ୟୁରୋ : ଆମ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକ ପଛରେ କାହିଁକି? ଯେତେବେଳେ ବି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା ଆସେ, ଲୋକେ ଏହି ପ୍ରଶ୍ନ କରନ୍ତି । ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକର ପ୍ରଦର୍ଶନ କାହିଁକି ପଛରେ ହୁଏତ ଆପଣ ଠିକ୍ ଜାଣିପାରିବେ, ଯେତେବେଳେ ବିଧାନସଭାରେ ରଖାଯାଇଥିବା ତଥ୍ୟକୁ ଅନୁଧ୍ୟାନ କରିବେ ।

Advertisment

ପ୍ରଥମେ ନଜର ପକାନ୍ତୁ କେଉଁ ବିଶ୍ୱବିଦ୍ୟାଳୟରେ କେତେ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦବୀ ଖାଲି ରହିଛି ।
ଉକ୍ରଳ ବିଶ୍ୱବିଦ୍ୟାଳୟ - ଅନୁମୋଦିତ ପଦବୀ ୨୫୭, ଅଛନ୍ତି ୧୨୬
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ -ଅନୁମୋଦିତ ପଦବୀ ୧୫୫, ଅଛନ୍ତି ୭୮
ରେଭେନ୍ସା ବିଶ୍ୱବିଦ୍ୟାଳୟ -ଅନୁମୋଦିତ ପଦବୀ ୨୬୭, ଅଛନ୍ତି ୧୮୪
ରମାଦେବୀ ବିଶ୍ୱବିଦ୍ୟାଳୟ -ଅନୁମୋଦିତ ପଦବୀ ୧୩୮, ଅଛନ୍ତି ୧୦୧
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ -ଅନୁମୋଦିତ ପଦବୀ ୪୨, ଅଛନ୍ତି ୧୪
ଫକୀରମୋହନ ବିଶ୍ୱବିଦ୍ୟାଳୟ -ଅନୁମୋଦିତ ପଦବୀ ୧୧୭, ଅଛନ୍ତି ୩୮

ଏବେ ଆପଣ ଚିନ୍ତା କରନ୍ତୁ । ପିଲାକୁ ପଢ଼ାଇବ କିଏ ଏବଂ ପିଲା ପଢ଼ିବେ କ’ଣ? ଯଦି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରାଧ୍ୟାପକ ରହିବେନି, ତେବେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଆସିବେ କୁଆଡୁ?

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତରରେ ଏଭଳି କିଛି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଯେତେବେଳେ ପାଠ ପଢ଼ାଇବାକୁ ଅଧ୍ୟାପକ ଓ ପ୍ରାଧ୍ୟାପକ ହିଁ ନାହାଁନ୍ତି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପାଠ ହେବ ବା କେମିତି? ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସଂଘ ବି ପ୍ରଶ୍ନ ଉଠାଇଛନ୍ତି ।

କେବଳ ବିଶ୍ୱବିଦ୍ୟାଳୟ ନୁହେଁ ଡିଗ୍ରୀ କଲେଜ ଗୁଡିକରେ ମଧ୍ୟ ସମାନ ଅବସ୍ଥା । ମହାବିଦ୍ୟାଳୟ ଗୁଡ଼ିକରେ ବି ପ୍ରାୟ ୫୦ ପ୍ରତିଶତ ଅଧ୍ୟାପକ ଓ ପ୍ରଧ୍ୟାପକ ପଦବୀ ଖାଲି ପଡିଛି ।