ହାଇୱେ ଲୁଟେରାଙ୍କ ଆତଙ୍କରାଜ୍ । ଦିନ ଦ୍ୱିପ୍ରହରରେ ଗୁଳି ଫୁଟାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କା, ସୁରାକ୍ ପାଉନି ପୋଲିସ ।

242

କନକ ବ୍ୟୁରୋ : ହାଇୱେ ଲୁଟେରାଙ୍କ ଆତଙ୍କରାଜ । ଆଜି ଆଠଗଡ ନିକଟ ପେଟ୍ରୋଲ ପମ୍ପ ନିକଟରେ ଏପରି ଆତଙ୍କରାଜ ସୃଷ୍ଟି କରିଛନ୍ତି ଲୁଟେରା । ଜଣେ ଡାକ୍ତରଙ୍କ ଉପରକୁ ଗୁଳି ଫୁଟାଇ ୫୦ଲକ୍ଷ ଲୁଟି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୁଟର ଭିନ୍ନ ଏକ ତରିକା ଆପଣାଇଥିଲେ ଲୁଟେରା । ପ୍ରଥମେ କାର ଉପରକୁ କାଦୁଆ ଫୋପାଡିଥିଲେ । ପରେ ଗୁଳି ଫୁଟାଇଥିଲେ । ବାସ ଏତିକି ଯଥେଷ୍ଟ ଥିଲା କାର ଭିତରେ ଥିବା ବ୍ୟକ୍ତିଙ୍କୁ ଭୟଭୀତ କରିବା ପାଇଁ । ଆଉ ଯେମିତି କାର ଅଟକିଗଲା, ୫୦ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଦୁବୃର୍ତ ।

ସମୟ,ଅପରାହ୍ନ ୪ଟାରୁ ୫ଟା । ଆଠଗଡ଼ର ଇଏସଆର ପେଟ୍ରୋଲ ପମ୍ପ । ଗୁଳି ଫୁଟାଇ ଡାକ୍ତରଙ୍କ ଠାରୁ ଲୁଟି ନେଲେ ୫୦ ଲକ୍ଷ ଟଙ୍କା । ଲୁଟ ଏପରି ଢଙ୍ଗରେ ହୋଇଥିଲା ଯାହା ଯେ, କେହିବି ଶୁଣିଲେ ବିଶ୍ୱାସ କରିପାରିବେନି । ପୁରା କାହାଣୀ କିଛି ଏହିପରି । ଡାକ୍ତର ବିନୟ କୁମାର ମହାପାତ୍ର କାରରେ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିଲେ । କାର ଭିତରେ ଥିଲା ୫୦ଲକ୍ଷ ଟଙ୍କା । ୫୫ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଗୋଟିଏ ବାଇକରେ ୩ ଜଣ ଦୁବୃର୍ତ କାରକୁ ଫଲୋ କରୁଥିଲେ । ହାତରେ ଥିଲା ମାରଣାସ୍ତ୍ର ।

ଆଠଗଡ ବ୍ଲକ ଗୁରୁଡିଝାଟିଆ ଥାନା ନିକଟରେ ଥିବା ଇଏସଆର ପେଟ୍ରୋଲ ପମ୍ପ ନିକଟରେ ବାଇକରେ ଆସୁଥିବା ଦୁବୃର୍ତ କାରକୁ ଗୋଟିଏ ପାଖରୁ ଆସି ଅଟକାଇଥିଲେ । ଆଉ ଏହାପରେ କାର ଉପରକୁ ପ୍ରଥମେ କାଦୁଅ ଫିଙ୍ଗିଥିଲେ । ଗାଡି ଅଟକିବା କ୍ଷଣି ଅଚାନକ ବନ୍ଧୁକରେ କାରର ସାମନା କାଚ ଭାଙ୍ଗି ଫାଇରିଂ କରିଥିଲେ ଦୁବୃର୍ତ । ଗୁଳି ବାଜି ଥିଲା କାରର ଡୋରରେ । ଡାକ୍ତରଙ୍କୁ ଟଙ୍କା ମାଗିଥିଲେ ଦୁବୃର୍ତ । ଆଉ ୫୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁବୃର୍ତ ।

ଜାଗା କିଣିବା ପାଇଁ ସମ୍ପର୍କୀୟଙ୍କ ଠାରୁ ୫୦ଲକ୍ଷ ଟଙ୍କା ନେଇ ଯାଉଥିଲେ ଡାକ୍ତର ବିନୟ କୁମାର । ହେଲେ ରାସ୍ତା ମଝିରେ ଗୁଳି ଫୁଟିଲା, ଲୁଟ ହେଲା । ଲୁଟ ପରେ ବିନୟ ଖୁଂଟୁଣି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।