ଆଉ ନେତାଙ୍କୁ ଭରସି ପାରିଲେନି ଆଇଆଇଟି ଛାତ୍ରଛାତ୍ରୀ ! ନିର୍ବାଚନ ଲଢିବା ପାଇଁ ଗଠନ କଲେ ନୂଆ ପାର୍ଟି, ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ୫୦ ଆଇଆଇଟି ଛାତ୍ରଛାତ୍ରୀ ଦଳରେ ଦେଲେ ଯୋଗ

47

ରାଜନୀତି ମୈଦାନକୁ ଓହ୍ଲାଇବେ ଆଇଆଇଟି ଛାତ୍ରଛାତ୍ରୀ । ଆଉ ଏଥିପାଇଁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ଗଢା ହୋଇଛି ଦଳ, ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଅପେକ୍ଷା । କାରଣ ଏବେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଉପରେ ଏମାନେ ଆଉ ଭରସି ପାରୁନାହାନ୍ତି । ପୂର୍ବରୁ ଆଇଆଇଟିରୁ ପାସ ଆଉଟ ହୋଇଥିବା ଅନେକ ଛାତ୍ର ସକ୍ରିୟ ରାଜନୀତିରେ ରହି ଆସିଛନ୍ତି । ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ,ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର । କିନ୍ତୁ ପଛୁଆ ବର୍ଗ, ଅନୁସୂଚିତ ଜାତତ୍ତ୍ୱି/ଜନଜାତି, ଆଦିବାସୀଙ୍କ ବିକାଶ ପାଇଁ ଏବେ ରାଜନେତା ମାନେ ଯେପରି ଆଖି ବୁଜିଦେଇଛନ୍ତି ।ଆଉ ଖାସ ଏମାନଙ୍କ ବିକାଶ ଓ ଅଧିକାର ଦେବା ପାଇଁ ଦିଲ୍ଲୀ ଓ ଖଡଗପୁର ଆଇଆଇଟିରେ ପଢିଥିବା ୫୦ ଜଣ ପୁରୁଣା ଛାତ୍ରଛାତ୍ରୀ ବହୁଜନ ଆଜାଦ ପାର୍ଟି ନାମକ ଦଳ ଗଠନ କରିଛନ୍ତି । ଆଉ କିଛି ସ୍ୱତନ୍ତ୍ର ମୁଦ୍ଦା ନେଇ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛି ।

ପାର୍ଟି ନେତାଙ୍କ ଅନୁଯାୟୀ, କଂଗ୍ରେସ, ବିଜେପି ଓ ଅନ୍ୟ ରାଜନୈତିକ ଦଳ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ କୌଣସି କାର୍ଯ୍ୟ କରୁନାହାନ୍ତି । ତେଣୁ ଏମାନଙ୍କ ପାଇଁ ଲଢେଇ କରିବାକୁ ବହୁଜନ ଆଜାଦ ପାର୍ଟିର ଗଠନ ହୋଇଛି । ଏହି ପାର୍ଟିର ଅଧ୍ୟକ୍ଷ ରହିଛନ୍ତି ଦିଲ୍ଳୀ ଆଇଆଇଟିରୁ ୨୦୧୫ରେ ପାସ ଆଉଟ ହୋଇଥିବା ନବୀନ କୁମାର । ତାଙ୍କ କହିବା ଅନୁଯାୟୀ, ପାର୍ଟିରେ ଅଧିକାଂଶ ଏସସି-ଏସଟି ଓ ଓବିସି ସମୁଦାୟର ଯୁବକ-ଯୁବତୀ ରହିଛନ୍ତି । ଆଇଆଇଟିରୁ ପାଠପଢା ଶେଷ କରିଥିବା ଅଧିକାଂଶ ଲୋକ ଏହି ପାର୍ଟିରେ ସାମିଲ ହୋଇଛନ୍ତି ।

ତେବେ ପାର୍ଟିକୁ ରାଜନୈତିକ ଦଳ ଭାବେ ପଞ୍ଜୀକରଣ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରାଯାଇଛି । ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ଏହି ପାର୍ଟିରେ ଥିବା ୫୦ ଜଣ ଆଇଆଇଟି ଛାତ୍ରଛାତ୍ରୀ ଉଚ୍ଚ ବେତନର ଚାକିରୀ ଛାଡି ଦଳରେ ଯୋଗ ଦେଇଛନ୍ତି । ପାର୍ଟି ଅଧ୍ୟକ୍ଷ ନବୀନଙ୍କ କହିବା ଅନୁଯାୟୀ, ପଛୁଆ ବର୍ଗରୁ ଆସିଥିବାରୁ କଣ ସମସ୍ୟା ରହିଛି ତାହା ଆମକୁ ବେଶ ଭଲଭାବେ ଜଣା । ତେଣୁ ଏମାନଙ୍କ ବିକାଶ ପାଇଁ କାମ କରିବାକୁ ଆମେ ଚାହୁଁଛୁ ବୋଲି କହିଛନ୍ତି ।

ରାଜନୀତି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବହୁଜନ ଆଜାଦ ପାର୍ଟି ୨୦୨୦ ବିହାର ବିଧାନସଭାରେ ଭାଗ୍ୟ ପରୀକ୍ଷା କରିବ । ଏହିଠାରୁ ହିଁ ଦଳକୁ ଆଗକୁ ନିଆଯିବ ବୋଲି କହିଛନ୍ତି ନବୀନ କୁମାର । ଏହାପରେ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପାର୍ଟି ଲଢିବାକୁ ଲକ୍ଷ୍ୟ ରଖିଛି । ନବୀନ କହିଛନ୍ତି, ସେ କୌଣସି ରାଜନୈତିକ ଦଳକୁ ବିରୋଧ କରୁନାହାନ୍ତି । କିନ୍ତୁ ପଛୁଆ ବର୍ଗ, ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଲଢେଇ କରିବା ତାଙ୍କର ମୁଳ ଲକ୍ଷ୍ୟ ବୋଲି କହିଛନ୍ତି ।