କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷିବିଲକୁ ବିରୋଧ କରି ୯ ଦିନରେ ପହଂଚିଛି କୃଷକ ଆନ୍ଦୋଳନ । ଏହି ଆନ୍ଦୋଳନ ଏବେ ପଲ୍ଲୀରୁ ଦିଲ୍ଲୀଯାଏଁ ବ୍ୟାପ୍ତ ହୋଇଛି । ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ବିଲକୁ ସରକାର ପୁଣି ସଂସଦ ଅଧିବେସନ ଡାକି ଫେରାଇ ନେବାକୁ କୃଷକ ମାନେ ଦାବି କରିଛନ୍ତି । ଏନେଇ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ୪ର୍ଥ ଥର ପାଇଁ ବସିଥିବା ବୈଠକ ବି ଗତକାଲି ସଂନ୍ଧ୍ୟାରେ ବିଫଳ ହୋଇଛି । ସରକାର କୃଷକ ମାନଙ୍କ ଦାବିକୁ ମାନିବାକୁ ପ୍ରସ୍ତୁତ ନଥିବା ବେଳେ କୃଷକ ମାନେ ବି ଦାବି ପୁରଣ ନହେବା ଯାଏ ଦିଲ୍ଲୀ ଛାଡିବାକୁ ନଛୋଡ ବନ୍ଧା ହୋଇ ରହିଛନ୍ତି ।
ଗତକାଲି ବୈଠକ ବିଫଳ ହେବା ପରେ କୃଷକ ମାନେ ଏବେ ଆନ୍ଦୋଳନର ରୂପରେଖ ବଦଳାଇବାକୁ ଯୋଜନା କରିଛନ୍ତି । ଗତକାଲି ଠାରୁ ଦିଲ୍ଲୀ ଓ ହରିଆଣାକୁ ଯିବା ପାଇଁ ଥିବା ସମସ୍ତ ରାଜପଥ ଓ ଆଞ୍ଚଳିକ ପଥକୁ କୃଷକ ମାନେ ବନ୍ଦ କରି ରଖିଛନ୍ତି । ଏହା ସହ ସେମାନେ ଦିଲ୍ଲୀକୁ ଯୋଗାଉଥିବା କ୍ଷୀର ଓ ପନିପରିବା ବନ୍ଦ କରିଦେବାକୁ ସରକାରଙ୍କୁ ଧମକ ଦେଇଛନ୍ତି । ଏପଟେ ରାସ୍ତା ବନ୍ଦ ହୋଇଯିବା ଫଳରେ ବି ଦିଲ୍ଲୀକୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଅତ୍ୟାବଶକୀୟ ସାମଗ୍ରୀର ଦର ବଢିବାରେ ଲାଗିଛି ।
ଅନ୍ୟପଟେ ଯୋଗାଣ ବ୍ୟବସ୍ଥାର ମୁଖ୍ୟ ବାହକ ଟ୍ରକ ମାଲିକ ମାନେ ଗତକାଲି ଠାରୁ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସେମାନେ କହିଛନ୍ତି କି ସରକାର ଯଦି ତୁରନ୍ତ କୃଷକ ମାନଙ୍କର ଦାବିକୁ ନମାନନ୍ତି ତେବେ ସେମାନେ ବି ପରିବହନ କରିବେ ନାହିଁ । ଏସବୁ ପରେ ବି ସରକାର କୃଷକ ମାନଙ୍କୁ ଦିଲ୍ଲୀ ଭିତରକୁ ଯିବାକୁ ଦେଉ ନାହାନ୍ତି । ରାସ୍ତାରେ ବ୍ୟାରିକେଟ୍ କରି କୃଷକ ମାନଙ୍କୁ ସରକାର ଅଟକାଉଛି । ଏହା ସହ କୃଷକ ମାନେ ଆସୁଥିବା ଟ୍ରାକ୍ଟରକୁ ଅଟକାଇବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଢ ଖୋଳାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ଚାଷୀ ମାନେ ଗତକାଲି ଠାରୁ ପଞ୍ଜାବରୁ ଘୋଡା ମଗାଇବା ଆରମ୍ଭ କରିଛନ୍ତି । ସଦ୍ୟ ସୂଚନା ମୁତାବକ ନିରଂକାରୀ ଗ୍ରାଉଣ୍ଡରେ ବର୍ତ୍ତମାନ ସୁଦ୍ଦା ୫୦ ଟି ଘୋଡା ଆସି ପହଂଚିଥିବା ଦେଖିବାକୁ ମିଳିଛି ।
ଏନେଇ ଆନ୍ଦୋଳନରତ କୃଷକ ମାନେ କହିଛନ୍ତି କି ସରକାର ଆମ ଦାବି ଆସନ୍ତାକାଲି ସୁଦ୍ଧା ନଶୁଣିଲେ ଆମେ ଦିଲ୍ଲୀ ଭିତରକୁ ଯିବୁ । ହେଲେ ପୋଲିସ ଯେଭଳି ଭାବେ ରାସ୍ତାରେ ଗାଢ ଖୋଳିଛି ଓ ବ୍ୟାରିକେଟ୍ କରିଛି ତାହାକୁ ମାତ୍ ଦେବାକୁ ଆମେ ମାନେ ଘୋଡା ସହାୟତାରେ ଗାଢ ପାର ହେବା ସହ ବ୍ୟାରିକେଟ୍ ଭାଙ୍ଗିବାକୁ ଯୋଜନା କରିଛୁ । ଏଥିପାଇଁ ଏବେ ଆମେ ୫୦ ଟି ଘୋଡା ଆଣିଛୁ । ଆବଶ୍ୟକ ପଡିଲେ କାଲିସୁଦ୍ଧା ଦିଲ୍ଲୀ ସୀମାରେ ୫୦୦ ଘୋଢା ଅଣି ଦିଲ୍ଲୀ ଭିତରକୁ ପ୍ରବେଶ କରିବୁ ।