ଗୋଟିଏ ଦିନରେ ମହାମାରୀ କରୋନା ନେଲା ୫୦ ଜଣ ଡାକ୍ତରଙ୍କ ଜୀବନ : ଭାରତୀୟ ମେଡିକାଲ ଆସୋସିଏସନ ଆଇଏମଏ ରେଜିଷ୍ଟ୍ରର ତଥ୍ୟରୁ ପ୍ରକାଶ

1,801

କନକ ବ୍ୟୁରୋ : ଗୋଟିଏ ଦିନରେ ଆଖି ବୁଜିଲେ ୫୦ ଜଣ ଡାକ୍ତର । କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଦିନରାତି କାମ କରୁଥିବା ଡାକ୍ତରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିଚଳିତ କଲାଭଳି । ଅନ୍ୟକୁ ଜୀବନ ଦେଉଥିବା ଡାକ୍ତରଙ୍କ ମୃତ୍ୟୁ ହେଲେ ଏହା ଜାତୀୟ ସଂପତିକୁ ହାନୀ । ହେଲେ କରୋନାର ଦ୍ୱିତୀୟ ଲହର ଏହିଭଳି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଯେଉଁଠି ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ଦେଶରେ ଆଜିଯାଏଁ ୨୪୪ ଡାକ୍ତର ପ୍ରାଣ ହରାଇଲେଣି । କେବଳ ରବିବାର ଗୋଟିଏ ଦିନରେ ଦେଶର ବିଭିନ୍ନ ଭାଗରୁ ୫୦ ଜଣ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ- ଆଇଏମଏ ରେଜିଷ୍ଟରରୁ ଜଣାପଡିଛି ।

ଦେଶରେ ମୃତ୍ୟୁ ହୋଇଥିବା ମୋଟ୍ ୨୪୪ ଡାକ୍ତରଙ୍କ ଭିତରୁ ବିହାରରେ ସର୍ବାଧିକ ୬୯, ଉତର ପ୍ରଦେଶରେ ୩୪, ଦିଲ୍ଲୀରେ ୨୭ ଜଣ ଅଛନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଉଛି ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ଭିତରୁ ୩ ପ୍ରତିଶତ କରୋନାର ଦୁଇଟି ଡୋଜ୍ ଟିକା ନେଇସାରିଥିଲେ । ଅର୍ଥାତ କରୋନା ଟିକାନେଲେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବନାହିଁ ବୋଲି ଯେଉଁ ଧାରଣା ରହିଛି ତାକୁ ଏହି ତଥ୍ୟ ବିରୋଧାଚରଣ କରୁଛି । ହେଲେ ଏବେ ବି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଜୋରଦାର କରିବାକୁ ଗୁରୁତ୍ୱ ଦେଇଛି ଆଇଏମଏ । ସଂସ୍ଥାର ତଥ୍ୟ ଅନୁସାରେ ଦେଶରେ ମୋଟ୍ ୬୬ ପ୍ରତିଶତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେଇଛନ୍ତି ।