ବିମୁଦ୍ରାକରଣ ଏବଂ ତରବରିଆ ଭାବେ ଜିଏସଟି ଲାଗୁ କରାଯିବା ପରେ ଦେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି । ଯେଉଁ ଗତିରେ ଦେଶର ବିକାଶ ଆଗକୁ ବଢ଼ିବା କଥା ତାହା ହେଉନାହିଁ । ଦେଶର ଦୁର୍ବଳ ଅର୍ଥନୀତିକୁ ସବଳ କରିବା ପାଇଁ କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଟଙ୍କା ଖର୍ଚ୍ଚ କରାଯିବ।
ଦୁଇ ଜଣ ବରିଷ୍ଠ ସରକାରୀ ଅଧିକାରୀ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର ଖୁବ୍ ଶୀଘ୍ର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବେ । ଏଥିପାଇଁ ସଂସଦର ମଞ୍ଜୁରି ଦରକାର ପଡ଼ିବ । ତେବେ କେତେ ଟଙ୍କା ଖର୍ଚ୍ଚ କରାଯିବ, ସେ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିବେ ।
ସରକାର ଏବେ ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି । ଯେଉଁ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରାଯିବ, ସେହି ଅର୍ଥ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ପ୍ରଦାନ କରିବା, ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଏବଂ ଗ୍ରାମୀଣ ହାଉସିଂ ଭଳି କ୍ଷେତ୍ରରେ ଖର୍ଚ୍ଚ କରାଯିବ । ଯଦି ସରକାର ଏତେ ପରିମାଣ ଅର୍ଥ ଖର୍ଚ୍ଚ କରିବେ ତେବେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ୩.୭% ଭଳି ସ୍ତରକୁ ବୃଦ୍ଧି ପାଇବ । ଚଳିତ ବର୍ଷ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯେ, ବିତ୍ତୀୟ ନିଅଣ୍ଟ ଜିଡିପିର ୩.୨% ସ୍ତରରେ ରହିବ । ବିତ୍ତୀୟ ନିଅଣ୍ଟରେ ହେବାକୁ ଥିବା ସମ୍ଭାବ୍ୟ ବୃଦ୍ଧିକୁ ନେଇ ସରକାର ଏତେଟା ଚିନ୍ତିତ ନୁହନ୍ତି । ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ।
ଭାରତର ଅଭିବୃଦ୍ଧି ହାର ତିନି ବର୍ଷର ସର୍ବନିମ୍ନ ସ୍ତର ୫.୭%କୁ ଖସି ଆସିବା ପରେ ସରକାର ବେଶ ଚିନ୍ତିତ ହୋଇପଡ଼ିଛନ୍ତି । କିଭଳି ଅର୍ଥନୀତିର ଗତିକୁ ବଢ଼ାଇ ହେବ ସେ ନେଇ ବରିଷ୍ଠ ଅଧିକାରୀମାନେ ମାନସ ମନ୍ଥନ କରିବା ଆରମ୍ଭ କରିଦେଇଛନ୍ତି । କିଛି ଦିନ ତଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏକ ବୈଠକରେ ଅର୍ଥନୀତିର ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ସେଥିରେ ଅନେକ ବରିଷ୍ଠ ମନ୍ତ୍ରୀ ଏବଂ ସଚିବ ଉପସ୍ଥିତ ଥିଲେ । ବୈଠକ ଦୁଇ ଘଣ୍ଟାରୁ ଅଧିକ ସମୟ ଚାଲିଥିଲା ।
ଜିଏସଟି ଲାଗୁ ହେବା ପରେ ଦେଶର ଅର୍ଥନୀତି ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । କଂପାନିମାନେ ଏହି ଟିକସ ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ଭଲ ଭାବେ ଗ୍ରହଣ କରିପାରିନାହାନ୍ତି । ସେମାନଙ୍କ ପାଇଁ କାରବାର କରିବା ଅଧିକ ଜଟିଳ ହୋଇପଡ଼ିଛି । ଏପଟେ ଦେଶର ମୁଦ୍ରାସ୍ଫୀତି ହାର ମଧ୍ୟ ବୃଦ୍ଧି ପାଇଛି । ରାଜସ୍ୱ ଆଦାୟ ପରିମାଣ ମଧ୍ୟ କମିବ ବୋଲି ସରକାର ଆକଳନ କରିସାରିଲେଣି । ଯଦି ଅର୍ଥନୀତିରେ ସୁଧାର ନ ହେବ ତେବେ ଏହି ସବୁ ସମସ୍ୟା ଆହୁରି ଜଟିଳ ରୂପ ଧାରଣ କରିବ ଯାହା ଉପରେ ଲଗାମ କଷିବା ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ।
ପ୍ରଣବଙ୍କ ଭଳି ଭୁଲ୍ ନ କରିବାକୁ ଜେଟଲିଙ୍କୁ ଚେତାବନୀ
୨୦୦୮ର ମାନ୍ଦାବସ୍ଥା ପରେ ଦେଶର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା । ଅର୍ଥନୀତିକୁ ଗତିଶୀଳ କରାଇବା ପାଇଁ ସେହି ସମୟରେ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଥିଲେ । ସେହି ପ୍ୟାକେଜର ଲାଭ ମିଳିବା ବଦଳରେ ଅର୍ଥନୀତିର ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ୨୦୦୮ ଭଳି ଭୁଲ ନ କରିବାକୁ ଅର୍ଥନୀତିଜ୍ଞମାନେ ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ସତର୍କ କରାଇଦେଇଛନ୍ତି । ସେମାନେ ଜଣାଇଛନ୍ତି ଯେ ଯଦି ସରକାର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବେ ତାହାର ବିଶେଷ କିଛି ଲାଭ ମିଳିବ ନାହିଁ ।
୨୦୦୮ରେ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବା ପରେ ଦେଶର ମୁଦ୍ରାସ୍ଫୀତି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଯାଇଥିଲା । ଅଭିବୃଦ୍ଧି କମିଯାଇଥିଲା । ଉଭୟ ଦେଶରେ ଏବଂ ଦେଶ ବାହାରେ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଉପରେ ସରକାର ଲଗାମ ଲଗାଇ ପାରିନଥିଲେ । ସେହି ଭୁଲର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା । ତେଣୁ ଏବେ ଜେଟଲି କୌଣସି ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବା ପୂର୍ବରୁ ଏହା ଭଲ ଭାବେ ଜାଣିବା ଦରକାର ଯେ, ଯଦି ତାହା ସଫଳ ନହେଲା, ତେବେ ଲାଭ ବଦଳରେ ସରକାରଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିବ। କ୍ଷତି ଏଭଳି ସ୍ତରର ହୋଇପାରେ ଯାହାକୁ କେବେ ଭରଣା କରାଯାଇପାରିବ ନାହିଁ ।
ଡିବିଏସ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ରାଧୀକା ରାଓ ଏବଂ କୋଟାକ୍ ଇନଷ୍ଟିଚ୍ୟୁଟ୍ ଇକ୍ୱିଟିର ପରିଚାଳନା ନିର୍ଦେଶକ ସଞ୍ଜୀବ ପ୍ରସାଦ କହିଛନ୍ତି ଯେ, ବିମୁଦ୍ରାକରଣ ଯୋଗୁଁ ଅର୍ଥନୀତିର ଗତି ଲାଇନ୍ ଚ୍ୟୁତ ହୋଇଥିଲା । ଏହା ପରେ ଜିଏସଟି ଅର୍ଥନୀତିକୁ ଆଉ ଏକ ବଡ଼ ଝଟକା ଦେଇଥିଲା । ଏହି ଦୁଇ ପଦକ୍ଷେପର ପ୍ରଭାବ ଏବେ ଅର୍ଥନୀତିରେ ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/arun-jaitley_660_082115025454_083115014839.jpg)