କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଜେନାପୁର ଥାନା ଚଢେଇଧରା ପାହାଡରୁ ବିପୁଳ ପରିମାଣର ଆମୋନିଆ ନାଇଟ୍ରେଟ ସାର ଉଦ୍ଧାର କରିଛି ପୁଲିସ । ଚଢେଇଧରା ପାହାଡର କଳାପଥର ଖାଦାନରୁ ମାଟିତଳୁ ଏଯାବତ ୫୦ବସ୍ତା ଆମୋନିଆ ନାଇଟ୍ରେଟ ଉଦ୍ଧାର କରାଯାଇଛି । ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ବିସ୍ଫୋରକରେ ବ୍ୟବହାର ହେଉଥିବା ଏହି ସାରକୁ ଜବତ କରାଯାଇଛି । ତେବେ ଅଧିକ ସାର ବସ୍ତା ଲୁଚାଇଥିବା ପୁଲିସ ସନ୍ଦେହ କରୁଛି । କିଛି ଦିନ ତଳେ ଜେନାପୁର ପୁଲିସ ସାତମାଣ ଓ ଚଢେଇଧରା ଅଂଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା । ତେବେ ଚଢେଇଧରା ପାହାଡରେ କିଏ କାହିଁକି ଆମୋନିଆ ନାଇଟ୍ରେଟ ସାର ଲୁଚାଇଥିବା ଜଣାପଡିନାହିଁ । ଅନ୍ୟପଟେ ଜେନାପୁର ଥାନା ପୁଲିସ ତଦନ୍ତ ଚଳାଇଛି ।
ଜେନାପୁର ଥାନା ଅଧୀନ ପୁରୁଣା ବଉଳମାଳ ପଞ୍ଚାୟତ ଅନ୍ତର୍ଗତ ସାତମାଣ ଠାରେ ରହିଥିଲା ଏହି ବେଆଇନ୍ ବିସ୍ଫୋରକ ଗୋଦାମ। ଗତକାଲି ବିଳମ୍ବିତ ରାତିରେ ଡିଏସ୍ପିଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଚଢ଼ାଉରେ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ଓ ଜେନାପୁର ପୁଲିସ ସାମିଲ ଥିଲେ । ତେବେ, ଚଢ଼ଉ ଖବର ପାଇ ମାଗାଜିନ ଷ୍ଟୋର ମାଲିକ ରଘୁନାଥ ସାହୁ ଓ ତାଙ୍କ ପୁଅ ଅକ୍ଷୟ ସାହୁ କେଉଁଆଡ଼େ ଫେରାର୍ ହୋଇଯାଇଥିଲେ । ଏହାପରେ ଚଢ଼ାଉକାରୀ ଦଳ ଗୋଦାମକୁ ସିଲ୍ କରିଥିଲେ। ଆଜି ବୋମା ନିଷ୍କ୍ରିୟକାରୀ ଦଳ ସହ ପ୍ରଶାସନ ଏହି ବେଆଇନ୍ ଗୋଦାମ ଖୋଲି ୫କୁଇଣ୍ଟାଲ ୫୦କିଲୋ ଆମୋନିଆ ନାଇଟ୍ରେଟ୍ ସହ ୨୫କେଜି କାର୍ଟୁନ ବିଶିଷ୍ଟ ୩ଶହ ପେଟି ଜିଲୋଟିନ ଜବତ କରିଛନ୍ତି। ଜେନାପୁର ପୁଲିସ ପକ୍ଷରୁ କେସ ନମ୍ବର ୨୮୭ରେ ବ୍ୟବସାୟୀ ରଘୁନାଥଙ୍କ ନାମରେ ମାମଲା ରୁଜୁ ହୋଇଛି ।
ସେହିପରି ଲୁଣିବାର ମୌଜାରେ ଥିବା କଳାପଥର ସୈରାତ ନିକଟରେ ଅନ୍ୟ ଏକ ବେଆଇନ୍ ଗୋଦାମରେ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀକୁ ସ୍କ୍ୱାଡ୍ ଜବତ କରିଛି। ଚଢେଇଧରା ଅଞ୍ଚଳର ଖାଦାନ ମାଲିକ ରଙ୍ଗାଧର ପ୍ରଧାନ ଏସବୁ ଗଚ୍ଛିତ ରଖିଥିଲେ। କେସ୍ ନମ୍ବର ୨୮୮ରେ ରଙ୍ଗାଧର ନାମରେ ମାମଲା କରି ସ୍ୱତନ୍ତ୍ର ସ୍କ୍ୱାଡ୍ ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି। ରଙ୍ଗାଧର ଗୋଦାମ ଘରୁ ୪୫ବ୍ୟାଗ ଆମୋନିଆ ନାଇଟ୍ରେଟ୍ ଓ ୧୮୦ ଜିଲୋଟିନ ଜବତ ହୋଇଛି। ଆଜିର ଚଢ଼ଉରେ ଏସ୍ପି ଅଫିସର ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାଡ୍ ସହ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଜେନାପୁର ଥାନା ଅଧିକାରୀ ଅନ୍ୟପକ୍ଷରେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ବିସ୍ଫୋରକ ନିୟମ ଅନୁଯାୟୀ ସୈରାତ ଖନନରେ ଲିଜ୍ଧାରୀ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରିପାରିବେ ମାତ୍ର ଗଚ୍ଛିତ ରଖିପାରିବେ ନାହିଁ ।
ମାଇନିଂ ଅଧିକାରୀଙ୍କ ସୂଚନା ଅନୁଯାୟୀ ରଙ୍ଗାଧର ଗଚ୍ଛିତ ରଖିଥିବା ସାମଗ୍ରୀରେ ହାରାହାରି ଏକ ଲକ୍ଷ ଘନମିଟର କଳାପଥର ଖନନ କରାଯାଇପାରିବ। ମାତ୍ର, ତାଙ୍କର ବାର୍ଷିକ ୨୦ ହଜାର ଘନମିଟର ଖନନ ଲାଗି ଅନୁମତି ରହିଛି । ସେ କାହିଁକି ଓ କିପରି ଏତେ ପରିମାଣରେ ବିସ୍ଫୋରକ ରଖିଥିଲେ, ତାହା ତଦନ୍ତ ସାପେକ୍ଷ । ତେବେ, ରଘୁନାଥ ସାହୁ ସାତମାଣ ଗ୍ରାମ ନିକଟରେ ଅତି ବେପରୁଆ ଭାବେ କିପରି ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ରଖିଥିଲେ ତାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି । ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତା’ଉପରେ ସମସ୍ତଙ୍କର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/vlcsnap-2021-10-07-07h49m44s786.png)