ପୁଣି ୫୦ ଫୁଟ ଗଭୀର ବୋରୱେଲକୁ ଖସିପଡିଲା ୫ ବର୍ଷର ଝିଅ ! ଉଦ୍ଧାର ଲାଗି ଅଭିଯାନ ଜାରି

381

କନକ ବ୍ୟୁରୋ :ହରିୟାଣାର କର୍ଣ୍ଣଲ୍ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ୫୦ ଫୁଟ୍ ଗଭୀର ବୋରୱେଲ ମଧ୍ୟକୁ ପଡ଼ିଯାଇଥିବା ଗୋଟାଏ ପାଞ୍ଚ ବର୍ଷୀୟ ଝିଅକୁ ବାହାର କରିବା ପାଇଁ ଉଦ୍ୟମ ଚାଲିଥିବା କଥା ସୋମବାର ଦିନ ପୁଲିସ କହିଛି। ରବିବାର ଦିନ ବିଲରେ ଖେଳୁଥିବା ବେଳେ ଘରୌନ୍ଦା ଅଞ୍ଚଳରେ ଥିବା ତାଙ୍କ ନିଜ ବୋରୱେଲ ମଧ୍ୟକୁ ସେ ଖସିପଡ଼ିଥିବା କଥା ପୁଲିସ କହିଛି। ତାକୁ ନ ଦେଖି ଘରଲୋକେ ଖୋଜାଖୋଜି କରି ଦେଖିଲେ ଯେ ସେ ବୋରୱେଲରେ ପଡ଼ିଯାଇଛି। ଏ ବିଷୟରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ପରେ ଏନଡିଆରଏଫ ଟିମ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇ ଦିଆଯାଇଥିଲା। ବୋରୱେଲ ମଧ୍ୟକୁ ଅମ୍ଳଜାନ ଯୋଗାଣ ଚାଲିଛି। ଉଦ୍ଧାରକାରୀମାନେ କ୍ୟାମେରା ଯୋଗେ ପିଲାଟିର ଅବସ୍ଥିତି ଜାଣିବାକୁ ଚେଷ୍ଟା କରିବା ବେଳେ ତା’ ପାଦ ଦେଖିଛନ୍ତି। ଆଶ୍ୱସ୍ତି ଅନୁଭବ କରିବାକୁ ଗର୍ତ୍ତ ମଧ୍ୟରେ ଥିବା ପିଲାଟି ନିକଟରେ ତା’ ବାପାମାଆଙ୍କ କଥାର ରେକର୍ଡିଙ୍ଗ୍ ବଜା ଯାଉଛି ବୋଲି ପୁଲିସ କହିଛି।