କନକ ବ୍ୟୁରୋ: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କେବଳ ନାଁକୁ ମାତ୍ର । ୫ ବର୍ଷ ତଳେ ବିଶ୍ୱ ବିଦ୍ୟାଳୟ ଘୋଷଣା ହୋଇଥିଲା । ହେଲେ ଏଠାରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଅନ୍ୟଷ୍ଟାଫ୍ ମଧ୍ୟ ନାହାନ୍ତି । ୧୨୬ ଶିକ୍ଷକଙ୍କ କାମ କରୁଛନ୍ତି ମାତ୍ର ୨୦ ଜଣ । ବାହାରୁ ଅନ୍ୟ ଶିକ୍ଷକଙ୍କୁ ଆଣି ପାଠପଢା ଚଳାଇଛନ୍ତି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ।
ବିଶ୍ୱ ବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ହିଁ ଏହି ବିଶ୍ୱ ବିଦ୍ୟାଳୟରେ ଟିଚିଂ ଏବଂ ନନଟିଚିଂ ଷ୍ଟାଫ୍ ଅଭାବ ରହିଛି। ବିଶ୍ୱ ବିଦ୍ୟାଳୟ ଘୋଷଣା ପରେ ଉନ୍ନତମାନର ଶିକ୍ଷା ମିଳିବ ବୋଲି ଆଶା କରିଥିଲେ ଛାତ୍ରଛାତ୍ରୀ। ହେଲେ ଏଠି ନା ପ୍ରଫେସର ଅଛନ୍ତି, ନା ଆସୋସିଏଟ ପ୍ରଫେସର। ଲ୍ୟାବ ଆସିଷ୍ଟାଂଟ ମଧ୍ୟ ନାହିଁ । ଫଳରେ ସିଲାବସ୍ ସରୁନାହିଁ କି ପ୍ରାକଟିକାଲ ଠିକ୍ ଠାକ୍ ହେଉନାହିଁ । ବିନା ପ୍ରସ୍ତୁତିରେ ନିଜେନିଜେ ପଢି ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଏନେଇ କୁଲପତି ବାରମ୍ବାର ସରକାରଙ୍କୁ ଜଣାଇଥିଲେ। ନରସିଂହ ମିଶ୍ର ବିଧାୟକ ଥିବା ବେଳେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସ୍ଥିତିକୁ ନେଇ ବିଧାନସଭାରେ ଉଠାଇଛନ୍ତି । ହେଲେ ବିଗତ ସରକାରରେ କୌଣସି ସୁଫଳ ମିଳିପାରିନାହିଁ ।
୨୦୧୯ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟ ଘୋଷଣା କରିଥିଲେ । ଏଠାରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାଠପଢା ପାଇଁ ୧୨୬ ଜଣ ଅଧ୍ୟାପକ ଆବଶ୍ୟକ । ହେଲେ ୫ ବର୍ଷରେ ମାତ୍ର ୨୦ ଜଣ ସ୍ଥାୟୀ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି । ୩୭ ଜଣ ଅତିଥି ଅଧ୍ୟାପକ ରହିଛନ୍ତି । ଜୀବବିଜ୍ଞାନ, ରସାୟନ ବିଜ୍ଞାନ, ବାଣିଜ୍ୟ, ଶିକ୍ଷା, ହିନ୍ଦୀ, ଇତିହାସରେ ବିଲକୁଲ୍ ଅଧ୍ୟାପକ ନାହାନ୍ତି । ପ୍ରକ୍ଟିକାଲ ପାଇଁ ୧୮ ଜଣ ଲ୍ୟାବ୍ ଆସିଷ୍ଟାଣ୍ଟ କାମ ଜଣେ କରୁଛନ୍ତି ।
ଏଇଥିରୁ ଅନୁମାନ କରନ୍ତୁ ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଛି। ତେବେ ବିଜେଡି ସରକାର ସମୟରେ ତ ଶିକ୍ଷକ ମିଳିଲେ ନାହିଁ ନୂଆ ସରକାରରଙ୍କ ନଜର କେବେ ପଡିବ ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/9-21.jpg)