ଜଗା ଦର୍ଶନ ପାଇଁ ଆସିଥିବା ବେଳେ ଘଟିଗଲା ଅଭାବନୀୟ ଘଟଣା । ବ୍ୟାରିକେଡରେ ଫସିଗଲା ୫ ବର୍ଷର ଶିଶୁ ।

ପୁଲିସ୍ ଓ ଅଗ୍ନିଶମ ବିଭାଗର ଉଦ୍ୟମ ପରେ ଉଦ୍ଧାର ହେଲା ଶିଶୁ କନ୍ୟା

141

କନକ ବ୍ୟୁରୋ: ଶ୍ରୀମନ୍ଦିର ସମୁଖରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୋତାଷ୍ଟାଣ୍ଡ ନିକଟରେ ଥିବା ବ୍ୟାରିକେଡ୍ରେ ଫଶି ଯାଇଥିଲା ଜଣେ ୫ ବର୍ଷୀୟା ଶିଶୁ । ରେଲିଂ ଭିତରେ ତା’ର ମୁଣ୍ଡ ପଶି ଯାଇଥିବାରୁ ଏହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ଶେଷରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଗ୍ୟାସ୍ କଟରରେ ବ୍ୟାରିକେଡ୍ ରେଲିଂ କାଟି ତାକୁ ଉଦ୍ଧାର କରିଛନ୍ତି ।

ତେବେ ଆଜି ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ବଡ଼ଦାଣ୍ଡରେ ଥିବା ଜୋତା ଷ୍ଟାଣ୍ଡ ନିକଟରୁ ହୋ ହଲ୍ଲା ଶୁଭିଲା । ଚାହୁଁ ଚାହୁଁ ଲୋକାରଣ୍ୟ ପାଲଟିଗଲା ପୂରା ଅଂଚଳ । ବଡଦେଉଳ ନିକଟ ଜୋତାଷ୍ଟାଂଡ ପାଖରେ ରୁଣ୍ଡ ହୋଇଗଲେ ଶହ ଶହ ଶ୍ରଦ୍ଧାଳୁ । ଲୋକ ଗହଳି ଭିତରେ ଯେଉଁ ଚିତ୍ର ଥିଲା, ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଗଲେ । ବ୍ୟାରିକେଡ ଭିତରେ ଫସି ଯାଇଥିଲା ୫ ବର୍ଷର ଶିଶୁ । ବାରିକେଡ ରେଲିଂ ଭିତରେ ପଶି ଯାଇଥିଲା ଶିଶୁର ମୁଣ୍ଡ ।

ବଡଠାକୁରଙ୍କ ଦର୍ଶନ ପାଇଁ ପରିବାର ସହ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପୁରୀ ଆସିଥିଲା ଜଣେ କୁନି ଝିଅ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଉତ୍ତରଦ୍ୱାର ଦେଇ ବାହାରକୁ ଆସି ଜୋତା ଷ୍ଟାଂଡକୁ ଜୋତା ଆଣୁଥିଲେ ପରିବାର । ସେହି ସମୟରେ ଶିଶୁଟି ବ୍ୟାରିକେଡ୍ ପାଖରେ ଖେଳୁଥିବା ବେଳେ ଦୁର୍ଭାଗ୍ୟବଶତଃ ତା’ ମୁଣ୍ଡଟି ବ୍ୟାରିକେଡ୍ର ରେଲିଂ ମଝିରେ ଫସି ଯାଇଥିଲା । ବାପା-ମାଆ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ, ପିଲାଟି ମଧ୍ୟ ଭୀଷଣ ଭାବେ ଡରି ଯାଇଥିଲା । ପୁଲିସ ଓ ଅଗ୍ନିଶମ କର୍ମଚାରୀ ଗ୍ୟାସ୍ କଟରରେ ବ୍ୟାରିକେଡ୍ ରେଲିଂ କାଟି ତାକୁ ଉଦ୍ଧାର କରିଛନ୍ତି ।

ତେବେ ପୁରୀରେ ଏହା ନୂଆ ଘଟଣା ନୁହେଁ । ପୂର୍ବରୁ  ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ ଭିତରେ ଛୋଟ ଛୁଆ ପଶି ଆହତ ହୋଇଛନ୍ତି । ତେଣୁ ବ୍ୟାରିକେଡ ହଟାଇ ସେହି ସ୍ଥାନରେ ତାର ଜାଲି ଦେଇ ଆବଦ୍ଧ କରିବାକୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ ।