ଯାହା ପଚାରିଲେ, ତାହା କହୁଛନ୍ତି ଭୁର୍ବୀ । ମୁହଁରେ ଅନର୍ଗଳ ଶିବତାଣ୍ଡବ, କଣ୍ଠରୁ ଫଟାଫଟ ବାହାରୁଛି ଇଂରାଜୀ ଗୀତ ।

165

କନକ ବ୍ୟୁରୋ: କଣ୍ଠରେ ଶିବତାଣ୍ଡବ, ମୁହଁରୁ ଅନର୍ଗଳ ବାହାରୁଛି ଇଂରାଜୀ ଗୀତ । ମାତ୍ର ୫ ବର୍ଷ ବୟସର କୁନି ପ୍ରତିଭାକୁ ଉପାନ୍ତ ଅଞ୍ଚଳରୁ ଦେଖିଛି ସାରା ଦେଶ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ଏବେ ସବୁଠି ଚର୍ଚ୍ଚିତ କୁନି ପ୍ରତିଭା ଭୁର୍ବୀ । ଯେଉଁ ବୟସରେ ବାଲିମାଟିରେ ଖେଳିବା କଥା ସେହି ବୟସରେ ଅନେକ ଜିନିଷ ମନେରଖି କୁନି ଗୁଗୁଲ ସାଜିଛନ୍ତି ଭୁର୍ବୀ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣା ସାହିର କାହ୍ନୁ ଚରଣ ମିଶ୍ର ଓ ସୁମାନି ପାଣିଙ୍କ ୫ ବର୍ଷୀୟ ଝିଅ ଭୁର୍ବୀ ଅସାଧାରଣ ଜ୍ଞାନର ଅଧିକାରୀ । କୁନି ବୟସରେ ସ୍କୁଲରେ ବର୍ଣ୍ଣବୋଧ ଶିଖିବା ବୟସରେ ସେ ୯ ଟି ଇଂରାଜୀ ସଙ୍ଗୀତ, ୫ଟି ହିନ୍ଦୀ ସଙ୍ଗୀତ, ୫୬ ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଫଟାଫଟ ଦେଇପାରନ୍ତି । ଏଥିସହ ୨୫ଟି ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବା ସହ ଆଲ୍ଫା ବେଟରେ ଏ ରୁ ଜେଡ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ, ନେତାଙ୍କ ନାଁ ବି ଅନର୍ଗଳ କହିପାରୁଛନ୍ତି ।

ବାପାମାଆ ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀ ହୋଇଥିବାରୁ ସେ ପିଲାଙ୍କୁ ଯାହା ପଢାନ୍ତି ସେଠୁ ଶୁଣି ଶୁଣି ଅନେକ ମନେ ରଖିଛନ୍ତି ଭୁର୍ବୀ । ପାଠ ସହ ଭାଗବତ ଗୀତା, ଶିବ ତାଣ୍ଡବ ଗାଇବା, ୫ଟି ଶ୍ଳୋକ ଉଚ୍ଚାରଣ କରିବା, ୨ ଟି ଇଂରାଜୀ ଗଳ୍ପ କହିବା, ବୃକ୍ଷ ଉପରେ ସଚେତନତା, ସ୍ୱାଧୀନତା ଦିବସ, ଗୁରୁ ଦିବସ ଉପରେ ବକ୍ତୃତା ଦେବା ଇତ୍ୟାଦିକୁ ସୁନ୍ଦର ଭାବେ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସେ ସ୍ଥାନ ପାଇଛନ୍ତି ଭୁର୍ବୀ । ଝିଅର ଏହି ସଫଳତା ପଛରେ ବାପାମାଆଙ୍କ ହାତ ରହିଛି । ତେବେ କମ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବା ପରେ ଭୁର୍ବୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।