ଅନ୍ଧାର ରାତିରେ ମ୍ୟାନ ହୋଲରେ ଖସିପଡିଲା ୫ ବର୍ଷର ଶିଶୁ । ୨୦ ମିନିଟ ପରେ କଟକ ବଜ୍ରକବାଟି ମୁଖ୍ୟ ଡ୍ରେନରୁ କରାଗଲା ଉଦ୍ଧାର

317

କନକ ବ୍ୟୁରୋ : ମରଣ ଯନ୍ତା ପାଲଟିଛି ମୁକୁଳା ମ୍ୟାନହୋଲ । କଟକରେ ରାସ୍ତା ଉପରେ ଥିବା ମୃତ୍ୟୁର ଗାତରେ ଅଚାନକ୍ ପଡିଯିବା ପରେ ପ୍ରାୟ ଶହେ ଫୁଟ୍ ଦୂରରେ ଥିବା ମୁଖ୍ୟଡ୍ରେନରୁ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାସ୍ତା ଉପରେ ଥିବା ମୃତ୍ୟୁର ଗାତ ଏବଂ କଡ଼ରେ ଯାଇଥିବା ଡ୍ରେନ୍ । ଏହାରି ଭିତରେ ପଡ଼ି, ଯଦି ୫ବର୍ଷର ପୁଅଟିଏ ଅକ୍ଷତ ଅବସ୍ଥାରେ ଫେରି ଆସୁଛନ୍ତି, ତାହା କେବଳ ଭଗବାନଙ୍କ କରିସ୍ମା ହିଁ କୁହାଯିବ । ଆଉ ଠିକ୍ ସେଇଆ ହିଁ ଘଟିଛି କଟକର ଏହି କୁନି ପିଲା ଦିବ୍ୟାଂଶୁଙ୍କ କ୍ଷେତ୍ରରେ । ରାସ୍ତାରେ ଥିବା ମ୍ୟାନହୋଲରେ ଅଚାନକ୍ ପଡିଯିବା ପରେ ପ୍ରାୟ ଶହେ ଫୁଟ୍ ଦୂରରେ ଥିବା ମୁଖ୍ୟଡ୍ରେନରୁ ଦିବ୍ୟାଂଶୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି ।

କଟକର ବଜ୍ରକବାଟି । ସମୟ ପ୍ରାୟ ସାଢ଼େ ୯ଟା । ସ୍ଥାନୀୟ ନର୍ସିଂହୋମ୍ ଭିତରୁ ୫ବର୍ଷର ଦିବ୍ୟାଂଶୁକୁ ଧରି ବାହାରିଥିଲେ ଦିବ୍ୟାଂଶୁଙ୍କ ମା’ ଏବଂ ଜେଜେ ମା’ । ଝିପି ଝିପି ବର୍ଷା ହେଉଥାଏ, ଆଉ ବର୍ଷା କାରଣରୁ ବଜ୍ରକବାଟି ଅଂଚଳରେ ଲାଇନ ନଥାଏ । ଦିବ୍ୟାଂଶୁଙ୍କ ମା’ ଗାଡ଼ି ଚଳାଇବା ପାଇଁ ଡ୍ରାଇଭର ସିଟରେ ବସିବାକୁ ଯାଉଥିବା ବେଳେ କୁନି ପୁଅକୁ କାର ପଛପଟୁ ବୁଲି ଆସି ଡାହାଣ କଡ଼ରେ ବସିବା ପାଇଁ କହିଥିିଲେ । ଆଉ ଠିକ୍ ଏମିତି ବେଳେ ଘଟିଗଲା ଏଭଳି ଏକ ଘଟଣା ଯାହା ସମସ୍ତଙ୍କୁ ଆନ୍ଦୋଳିତ କରି ଦେଇଥିଲା । ବୁଲି ଆସି କାରରେ ବସିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଝୁଂଟି ପଡ଼ିଥିଲେ ଦିବ୍ୟାଂଶୁ । ଆଉ ମୋବାଇଲ ଲାଇଟ୍ ମାରି ଦେଖିଲା ବେଳକୁ ରାସ୍ତା ଉପରେ ଥିବା ମ୍ୟାନହୋଲରେ ପଡ଼ି ଯାଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟ ଡ୍ରେନ ଉପରେ କିଛି ଅଂଶ କଂକ୍ରିଟ ଛାତ ଥିବା ବେଳେ ଶିଶୁଟି ଛାତ ତଳୁ ପାର ହୋଇ ଖୋଲା ଡ୍ରେନକୁ ଚାଲିଯାଇଥିଲେ । ତେବେ କିଛି ବାଟ ଭାସିଯିବା ପରେ ମୁଖ୍ୟ ଡ୍ରେନରୁ ଦିବ୍ୟାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଆଖି ଆଗରେ ଏତେ ବଡ ଅଘଟଣ ଘଟି ଯିବା ପରେ ଯେମିତି ପ୍ରଶାସନର ନିଦ ଭାଙ୍ଗିଛି । ସିଏମସି କମିଶନର କହୁଛନ୍ତି- ମ୍ୟାନହୋଲକୁ ଘୋଡେଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ପ୍ରଶ୍ନ ହେଉଛି-
-ରାସ୍ତା ଉପରେ ଥିବା ମ୍ୟାନ୍ହୋଲ୍କୁ ଖୋଲା ଛାଡି ଦିଆଯାଉଛି କେମିତି?
-ଏହି ଘଟଣା ପାଇଁ କାହିଁକି ସିଏମ୍ସି କର୍ତୃପକ୍ଷଙ୍କୁ ଦାୟୀ କରାଯିବ ନାହିଁ?
-ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଏଭଳି ଘଟଣା ପାଇଁ ଉତ୍ତରଦାୟୀ ରହିବ ନା ନାହିଁ?