କନକ ବ୍ୟୁରୋ: ୫ ବର୍ଷର କୁନି ପୁଅକୁ ମିଳିଲା ପୁଲିସ ବିଭାଗରେ କନଷ୍ଟେବଳ ଚାକିରି । ଛତିଶଗଡ ଅମ୍ବିକାପୁର ଏସପି ଭାବନା ଗୁପ୍ତା ଏହି ନିଯୁକ୍ତି ପତ୍ର ଦେଇ ଜଣାଇଛନ୍ତି ଶୁଭେଚ୍ଛା ।

Advertisment

ବାପା ରାଜକୁମାର ଅଜୱାଡେ ଛତିଶଗଡ ସରଗୁଜାର ମହିଳା ଥାନାରେ କନଷ୍ଟେବଳ ପଦରେ କାର୍ଯ୍ୟ କରୁଥିଲେ । ହେଲେ ଦୁର୍ଭାଗ୍ୟକୁ ୨୦୨୧ ସେପ୍ଟେମ୍ବର ମାସରେ ଘରକୁ ଫେରିବା ବେଳେ ଏକ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳକୁ ତାଙ୍କ ପୁଅ ନମନକୁ ହୋଇଥିଲା ମାତ୍ର ମାସେ ସମୟ । ସେସମୟରେ ତାଙ୍କୁ ଆର୍ଥିକ ସହାୟତା ମିଳିଥିଲା । ଆଉ ଏବେ ତାଙ୍କ ପୁଅକୁ ମିଳିଛି ପୁଲିସ ବିଭାଗରେ ନିଯୁକ୍ତି ।

ପୁଅ ନମନ ଅଜୱାଡେକୁ ଏବେ ମାତ୍ର ୫ ବର୍ଷ । ହେଲେ ରିହାବିଲିଟେସନ୍ ସ୍କିମ ଅନୁସାରେ ମୃତ କର୍ମଚାରୀଙ୍କ ପରିବାରର ଜଣକୁ ସେହି ବିଭାଗରେ ଚାକିରି ମିଳିବ । ଯଦି ତାଙ୍କର ସନ୍ତାନ ନାବାଳକ ହୋଇଥାନ୍ତି ତେବେ ମଧ୍ୟ ସେମାନଙ୍କୁ ବିଭାଗରେ ନିଯୁକ୍ତି ମିଳିବ । ଏହି ଆଧାରରେ ସେମାନଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇ ମାସିକ ଦରମା ଓ ଅନ୍ୟାନ୍ୟ ଭତ୍ତା ସବୁ ମିଳିବ । ଯେବେ ସନ୍ତାନ ୧୮ ବର୍ଷର ସାବାଳକ ହେବେ ସେତେବେଳେ ସିଏ ଔପଚାରିକ ଭାବେ ଚାକିରିରେ ଯୋଗ ଦେବେ । ଏହି ନିୟମ ଅନୁସାରେ କୁନି ପୁଅ ନମନଙ୍କୁ ମିଳିଛି କନଷ୍ଟେବଳ ଚାକିରି ପାଇଁ ନିଯୁକ୍ତି ପତ୍ର ।

ପୁଲିସ ବିଭାଗର ସହଯୋଗରେ କୁନି ପୁଅର ଭବିଷ୍ୟତ ନିଶ୍ଚିତ ହୋଇଛି । ଏହାସହ ସ୍ୱାମୀଙ୍କୁ ହରାଇ ଭାଙ୍ଗିପଡିଥିବା ରାଜକୁମାରଙ୍କ ପତ୍ନୀଙ୍କ ମନ ଆଶ୍ୱସ୍ତ ହୋଇଛି ।