ଓଡିଶାରେ ଚିହ୍ନଟ ହୋଇଛି କରୋନାର ୫ ପ୍ରକାର ଭୂତାଣୁ: ଜିନମ୍ ସର୍ଭେ ଜଣାପଡିଲା ବଡ ତଥ୍ୟ; ଓଡିଶାରେ ରହିଛି ଉହାନ ଭାଇରସ୍

୧୯ ଏ, ୧୯ବି ଭୂତାଣୁ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆ ଦେଶରୁ ଆସିଛି: ସ୍ଥାନୀୟ ବିବର୍ତନରୁ ସୃଷ୍ଟି ହୋଇଛି ୨୦ ସି ଭୂତାଣୁ

782

କନକ ବ୍ୟୁରୋ: ଓଡିଶାରେ କରୋନାର ୫ ପ୍ରକାର ଭୁତାଣୁ ଚିହ୍ନଟ ହୋଇଛି । ରାଜ୍ୟରେ କରୋନାର ୧୯-ଏ, ୧୯ –ବି ଭୁତାଣୁ ସହ ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ଚିହ୍ନଟ ହୋଇଛି । ଆରଏମଆରସି ଏବଂ ଆଇଏଲଏସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି । ଓଡିଶାରେ ଜିନମ ସର୍ଭେରୁ କରୋନାର ଏହି ୫ ପ୍ରକାର ଭୂତାଣୁ ଠାବ ହୋଇଛି । ଓଡିଶାର ୧୮ ଜିଲ୍ଲାରୁ ମୋଟ ୨୨୫ ନମୂନା ସଂଗ୍ରହ କରାଯାଇ ବିଶ୍ଲେଷଣ କରାଯାଥିଲା  । ଦେଶର ୧୩ ରାଜ୍ୟରୁ ଓଡିଶାର ୧୮ଟି ଜିଲ୍ଲାକୁ ଆସିଥିବା ପ୍ରବାସୀଙ୍କୁ ଠାରୁ ନମୂନା ସଂଗ୍ରହ କରାଯାଇ ଜିନମ ଷ୍ଟଡି କରାଯାଇଛି । ମୁଖ୍ୟତଃ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ଏହି ସାମ୍ପୁଲ ସଂଗ୍ରହ କରାଯାଇଥିଲା ।

ଆରଏମଆରସି ଓ ଆଇଏଲଏସ ଷ୍ଟଡିରୁ ଜଣାପଡିଛି ୧୯-ଏ, ୧୯ –ବି ଭୁତାଣୁ ସହ ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୨୦-ସି ଭୁତାଣୁ କେବଳ ଓଡିଶାରେ ସ୍ଥାନୀୟ ବିବର୍ତନରୁ ସୃଷ୍ଟି ହୋଇଛି ଏବଂ ଏହି  ୨୦-ସି ଭୁତାଣୁ ଓଡିଶାରୁ ଅନ୍ୟ ରାଜ୍ୟକୁ ବ୍ୟାପି ନାହିଁ । ଅନ୍ୟପଟେ ୧୯-ଏକୁ ଉହାନ ଭୁତାଣୁ ଭାବେ ଚିହ୍ନଟ କରାଯାଉଛି । ୧୯-ବି ଭୁତାଣୁ ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରୁ ଆସିଥିବା ଜଣାପଡିଛି । ତେବେ କେଉଁ କାରଣରୁ ୨୦-ସି, ଭୁତାଣୁ କେବଳ ଓଡିଶାରେ ରହିଛି, ଅନ୍ୟପଟେ କାହିଁକି ସଂକ୍ରମିତ ହୋଇପାରି ନାହିଁ, ସେ ଉପରେ ଅଧିକ ଗବେଷଣା କରାଯାଉଛି । ଜୁନ ୧୮ ପରେ ଆରଏମଆରସି ଓ ଆଇଏଲଏସର ମିଳିତ ଉଦ୍ୟମରେ ସଂଗ୍ରହ କରାଯାଇଥିବା ନମୂନା ଉପରେ ଏବେ ଅଧିକ ଗବେଷଣ କରାଯାଉଛି ।