ଭାଙ୍ଗିବ ଦିଦିଙ୍କ ଗଡ । ବିଜେପି ନେତା ଅର୍ଜୁନ ସିଂଙ୍କ ଦାବି । ବିଜେପିରେ ଯୋଗଦେବେ ୫ ଟିଏମ୍‌ସି ସାଂସଦ !

636

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଆହୁରି କିଛି ମାସ ବାକି ରହିଛି । ହେଲେ ରାଜ୍ୟରେ ରାଜନୈିତିକ ଛକା ପଞ୍ଝା ଏବେଠାରୁ ଆରମ୍ଭ ହୋଇ ସାରିଛି । ଏହା ଭିତରେ ବିଜେପି ସାଂସଦ ଅର୍ଜୁନ ସିଂ ଯାହା ଦାବି କରିଛନ୍ତି ତାହା ଯଦି ସତରେ ପରିଣତ ହୁଏ ତାହେଲେ ମମତାଙ୍କୁ ଗଡ ବଞ୍ଚାଇବା କଷ୍ଟ ହୋଇପଡିବ । ଏମିତି ବି ହୋଇପାରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଆଉ କ୍ଷମତାକୁ ନଫେରିପାରେ ।
ବିଜେପି ସାଂସଦ ଅର୍ଜୁନ ସିଂ କହିଛନ୍ତି କି ସୌଗତ ରାୟଙ୍କ ସମେତ ୫ ଜଣ ଟିଏମସି ସାଂସଦ ବିଜେପିରେ ଯୋଗ ଦେବେ । ଆଜି (ଶନିବାର) ସାଂସଦ ଅର୍ଜୁନ ସିଂ ପଶ୍ଚମବଙ୍ଗର ୨୪ ପ୍ରଙ୍ଗଣା ଜିଲ୍ଲାର ଜଗଦଲ ଘାଟରେ ଚାଲିଥିବା ଛଟ୍ ପୂଜାରେ ପହଂଚିଥିଲେ । ସେଠାରେ ସେ କହିଥିଲେ କି ଟିଏମସିର ୫ ଜଣ ସାଂସଦ ବିଜେପି ସଂପର୍କରେ ଅଛନ୍ତି । ସେମାନେ କୌଣସି ମୁହୁତ୍ତ୍ୱରେ ଦିଦିଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ।
ଏହାସହ ଅର୍ଜୁନ ସିଂ ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ମମତା ନିଜେ ଗଡ ସମ୍ଭାଳିବାକୁ ଆଉ ସମର୍ଥ ନାହାନ୍ତି ତେଣୁ ସେ ତାଙ୍କ ଭଣଜାକୁ ପ୍ରମୋସନ କରିବା କାମରେ ବ୍ୟସ୍ତ ରହୁଛନ୍ତି । ଏହା ସହ ସେ ପଶ୍ଚମବଙ୍ଗର ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବାବଦରେ କହିବାକୁ ଯାଇ କହିଛନ୍ତି କି ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା । ଯାହାଙ୍କ ପାଇଁ ମମତା ବାନାର୍ଜୀ ଆଜି କ୍ଷମତା ଉପଭୋଗ କରୁଛନ୍ତି । ମମତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ କିଛି ନେତା ସେମାନଙ୍କର ରକ୍ତ ଦେଇଛନ୍ତି । ମମତା ଏବେ ପୂର୍ବ ସମୟକୁ ନଜର ଆନ୍ଦାଜ କରୁଛନ୍ତି । ସେ ତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ହାତରେ କ୍ଷମତା ଦେବାକୁ ଚାହୁଁଛନ୍ତି । ଯାହାକୁ ଦଳର କୌଣସି ବଡନେତା ସ୍ୱିକାର କରିପାରୁ ନାହାନ୍ତି ।