ପ୍ରଥମ ଥର ହୃଦଘାତରୁ ବର୍ତ୍ତିବା ନିଶ୍ଚିତ ଭାବରେ ସୌଭାଗ୍ୟର କଥା। କିନ୍ତୁ ବେେଳେ ବେଳେ ଦ୍ୱିତୀୟ ହୃଦଘାତ ଘାତକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ ଥରଟିଏ ହୃଦଘାତର ଶିକାର ହୋଇସାରିଛନ୍ତି, ତେବେ ଦ୍ୱିତୀୟଟି ଯେଭଳି ନ ଆସୁ ସେ ଦିଗରେ ଉଦ୍ୟମ କରନ୍ତୁ। ଆସନ୍ତୁ ଜାଣିବା କିପରି ଆପଣ ଦ୍ୱିତୀୟ ହୃଦଘାତକୁ ଦୂରେଇ ରଖିପାରିବେ। ଏଥିଲାଗି ଆପଣଙ୍କୁ କିଛି ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
୧- ଧୂମପାନ ଆପଣଙ୍କ ହୃତପିଣ୍ଡର ଶତ୍ରୁ। ଧୂମପାନ ଛାଡ଼ନ୍ତୁ। ଏହା ହୃଦଘାତ ଆଶଙ୍କାକୁ ୫୦ ପ୍ରତିଶତ କମାଇବ। ଯଦି ଧୂମପାନ କରୁନାହାନ୍ତି, ତେବେ ଅନ୍ୟ ଜଣେ ଧୂମପାନ କରୁଥିବା ସମୟରେ ତା’ଠାରୁ ଦୂରରେ ରହନ୍ତୁ। କାରଣ ପରୋକ୍ଷ ଧୂମପାନ ବି କ୍ଷତିକାରକ ହୋଇଥାଏ।
୨-ଖାଦ୍ୟକୁ ଜଗନ୍ତୁ। ସୁସ୍ଥ ହୃତପିଣ୍ଡ ଲାଗି ସ୍ୱାସ୍ଥ୍ୟପ୍ରଦ ଓ ସନ୍ତୁଳିତ ଆହାର ଜରୁରୀ। ଫଳ,ପନିପରିବା,ଡାଲି ଓ ମାଛ ଆଦି ନିୟମିତ ଖାଦ୍ୟରେ ସାମିଲ କରନ୍ତୁ।
୩- ବ୍ୟାୟାମ ଏକ ମହୋଷଧୀ। ହୃଦଘାତରୁ ଦୂରେଇ ରହିବା ଲାଗି ଦୈନିକ ଅତିକମରେ ୩୦ ମିନିଟ୍ ବ୍ୟାୟାମ କରନ୍ତୁ। ଏଥିରୁ ୨୦ ମିନିଟ୍ ଜୋରଦାର ବ୍ୟାୟାମ୍ କରିପାରନ୍ତି। ଏହା ଦ୍ୱାରା ରକ୍ତ ସଂଚାଳନ ଠିକ୍ ହୋଇଥାଏ।
୪- ହୃଦଘାତକୁ ନା କହିବାକୁ ହେଲେ ଶରୀରରୁ କୋଲୋଷ୍ଟେରଲ୍ ପରିମାଣ କମାଇବା ଜରୁରୀ। ଏଥିପାଇଁ ଚର୍ବି ସୃଷ୍ଟି କାରୀ ଖାଦ୍ୟରୁ ଯଥା ସମ୍ଭବ ଦୂରେଇ ରହନ୍ତୁ। ଯଦି ମଦ୍ୟପାନ କରୁଛନ୍ତି, ତେବେ ଛାଡ଼ନ୍ତୁ ଓ ଶାରୀରିକ ଭାବେ ସକ୍ରିୟ ରହନ୍ତୁ।
୫- ଓଜନ ବୃଦ୍ଧି ହୃଦଘାତର କାରଣ ହୋଇପାରେ। ତେଣୁ ମେଦବୃଦ୍ଧି ହେଲେ ଡ଼ାକ୍ତରଙ୍କ ପରାମର୍ଶ କରନ୍ତୁ। ଦ୍ୱିତୀୟ ହୃଦଘାତରୁ ଦୂରେଇ ରହିବା ଲାଗି ଓଜନ୍ କମ୍ କରିବା ଏକାନ୍ତ ଆବଶ୍ୟକ। ଏଥିଲାଗି ଡାକ୍ତରଙ୍କ କହିବା ଅନୁଯାୟୀ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।