କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବରଦାନ ସାଜିଛି ‘ବାଇକ୍ ଆମ୍ବୁଲାନ୍ସ’। ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାର ୪ଟି ବ୍ଲକ୍' ଅର୍ଥାତ୍ ରାଇରଙ୍ଗପୁର, ଯଶିପୁର, କୁସୁମି ଓ ବିଜାତଳା ବ୍ଲକରେ ଯୋଗାଇ ଦିଆଯାଇଛି ବାଇକ୍ ଆମ୍ବୁଲାନ୍ସ ସେବା। ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି ।
ଆଦିବାସୀ ବହୁଳ ବଣ ପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲା। ଏବେ ବି କେତେକ ସ୍ଥାନରେ ଭୌଗୋଳିକ ସ୍ଥିତି ପ୍ରତିବନ୍ଧକ ରହିଛି। ରାସ୍ତାଘାଟ ସମସ୍ୟା ଯୋଗୁଁ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଚ୍ୟାଲେଞ୍ଜ ହୋଇଥାଏ। ସେଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିଛି ‘ବାଇକ୍ ଆମ୍ବୁଲାନ୍ସ’। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଅର୍ଥାତ୍ ଓମ୍ବାଡସି ସହାୟତାରେ ୨୦୨୧ରୁ ମୟୂରଭଞ୍ଜରେ ‘ବାଇକ୍ ଆମ୍ବୁଲାନ୍ସ’ ଗଡୁଛି। ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ୍ ପାଇଁ ଗୋଟିଏ ଲେଖାଏଁ ବାଇକ୍ ଆମ୍ବୁଲାନ୍ସ ରହିଛି। ପାହାଡ଼ିଆ ଅଂଚଳରୁ ରୋଗୀଙ୍କୁ ଡାକ୍ତରଖାନାରେ ପହଂଚାଇବା ଜାରି ରଖିଛି ବାଇକ୍ ଆମ୍ବୁଲାନ୍ସ ।
ଯେଉଁଠି ୧୦୮, ୧୦୨ ଭଳି ଆମ୍ବୁଲାନ୍ସ ପହଂଚିପାରେନି, ସେଠରେ ପହଞ୍ଚି ସେବା ଯୋଗାଉଛି ବାଇକ୍ ଆମ୍ବୁଲାନ୍ସ। ୨୦୨୧ରୁ ୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି। ବରିଷ୍ଠ ନାଗରିକ, ଗର୍ଭବତୀ ମା’, ଶିଶୁ ଏବଂ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତି ଅଧିକ ଅଛନ୍ତି। ବାଇକ୍ ଆମ୍ବୁଲାନ୍ସ ଗୁଡ଼ିକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଡ଼ା ଯାଇଛି। ଜଣେ ଲେଖାଏଁ ଡ୍ରାଇଭର ନିୟୋଜିତ ହୋଇଛନ୍ତି। ଆଶାକର୍ମା ଓ ପ୍ରଭାବିତଙ୍କ ପାଖରୁ ଫୋନ ଆସିବା ମାତ୍ରେ ଘଟଣାସ୍ଥଳରେ ପହଂଚି ସେବା ଯୋଗାଇ ଆସୁଛନ୍ତି। ଡାକ୍ତରଖାନାରେ ଚିକିତ୍ସା ସରିବା ପରେ ପୁଣି ନେଇ ଘରେ ଛାଡ଼ି ଦେଉଛି ବାଇକ୍ ଆମ୍ବୁଲାନ୍ସ।
ଆମ୍ବୁଲାନ୍ସ ହେଉଛି ଏକ ଜରୁରିକାଳୀନ ସ୍ୱାସ୍ଥ୍ୟସେବା। ଗୁରୁତର ରୋଗୀଙ୍କୁ ସଠିକ୍ ସମୟରେ ଡାକ୍ତରଖାନାରେ ପହଂଚାଇବା ଲାଗି ବାଇକ୍ ଆମ୍ୱୁଲାନ୍ସ ଉପରେ ପ୍ରାଥମିକତା ଦେଉଛନ୍ତି ସରକାର ।
ମୟୂରଭଞ୍ଜ ଜିଲ୍ଲାରେ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ‘ବାଇକ୍ ଆମ୍ବୁଲାନ୍ସ’ ସହ ଆଡଭାନ୍ସ ଲାଇଫ୍ ସପୋର୍ଟ ଏବଂ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/rge.jpg)