କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ମିଳିତ ଏନକାଂଉଟରରେ ଆଜି ଜୈସ୍ ଇ ମହମ୍ମଦ କମାଣ୍ଡାର ଏବଂ ଜଣେ ପାକିସ୍ଥାନୀ ଆତଙ୍କବାଦୀଙ୍କ ସହ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୧୨ ଘଂଟାରେ ଜାମ୍ମୁ କାଶ୍ମୀର ପୁଲୱାମା ଏବଂ ବୁଡଗାମ ଜିଲ୍ଳାରେ ଦୁଇଟି ପୃଥକ ଏନକାଂଉଟରରେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଆତଙ୍କବାଦୀମାନେ ଜୈସ୍ ଇ ମହମ୍ମଦ ଏବଂ ଲସ୍କରୀ ଇ ତଇବା ସହ କାର୍ଯ୍ୟ କରୁଥିଲେ ।

Advertisment

ଜୈସ୍ ଇ ମହମ୍ମଦର କମାଣ୍ଡର ଆତଙ୍କବାଦୀ ଯାହିଦ ୱାନିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ପରିଚୟ ଠାବ କରାଯାଉଛି । ଏହା ଆମ ପାଇଁ ବଡ ସଫଳତା ବୋଲି କାଶ୍ମର ଆଇଜି ଟୁଇଟ୍ କରି ସୂଚନା ଦେଇଛନ୍ତି । ପୋଲିସ ସୂଚନା ମୁତାବକ ପୁଲୱାମାର ନଇରା ଅଂଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ବୁଡଗାମ ଜିଲ୍ଲାରେ ଏକ ଏନକାଉଂଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଏକ ୫୬ ରାଇଫଲ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଏବେ ବି ସ୍ଥାନୀୟ ଅଂଚଳର ସର୍ଚ୍ଚ ଅପରେସନ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିିଳିଛି ।