ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ । ପିଓକେରେ ଧୁଳିସାତ୍ ହେଲା ଆତଙ୍କୀ ଠିକଣା, ୪ଲଂଚ ପ୍ୟାଡ ଧ୍ୱଂସ, ୫ ପାକ୍ ରେଞ୍ଜର ନିହତ ।

622

କନକ ବ୍ୟୁରୋ : ସୀମାରେ ଉସୁକାଇ ପାନେ ପାଇଲା ପାକିସ୍ତାନ । ଦୁଇ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଭାରତୀୟ ସେନା । ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି । ନିୟନ୍ତ୍ରଣ ରେଖା ଆରପଟେ ପିଓକେରେ ପ୍ରବଳ କ୍ଷୟକ୍ଷତି ଘଟାଇଛି ସେନା । ପାକ୍ ଅଧିକୃତ କାଶ୍ମୀରରେ ୪ଟି ଆତଙ୍କୀ ଶିବିର ସହ ଏକାଧିକ ସେନା ଶିବିରର ଟାର୍ଗେଟ ଉଡାଇ ଦେଇଛି ଭାରତୀୟ ସେନା । ୨୨ ଜଣ ଆତଙ୍କବାଦୀଙ୍କ ସହ ୫ ପାକ୍ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶନିବାର ସଂଧ୍ୟାରୁ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଚଳାଇଛି ପାକିସ୍ତାନ । ପାକ୍ ରେଞ୍ଜର୍ସଙ୍କ ଗୁଳିମାଡରେ ତଙ୍ଗଧାର ସେକ୍ଟରରେ ଦୁଇ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଜଣେ ସାଧାରାଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଯାହାର କଡା ଜବାବ ଦିଆଯାଇଛି ।

ଜାମ୍ମୁ-କାଶ୍ମୀରର ତଙ୍ଗଧାର ସେକ୍ଟରରେ ଗର୍ଜୁଥିଲା ଆର୍ଟିଲାରି ଗନ୍ । ପଡୋଶୀକୁ ପାନେ ଦେବା ପାଇଁ ଗୁଳିଗୋଳା ମାଡକୁ ଜୋରଦାର କରିଥିଲା ଭାରତୀୟ ସେନା । ଟାର୍ଗେଟରେ ରହିଥିଲା ନିୟନ୍ତ୍ରଣ ରେଖା ଆରପଟେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର । ପିଓକେର ଲିପା ଘାଟିରେ ଥିବା ଏକାଧିକ ଆତଙ୍କୀ ଶିବିରକୁ ଲକ୍ଷ୍ୟ କରି ଏହିଭଳି ଜୋରଦାର ହୋଇଥିଲା ଗୁଳିଗୋଳା ମାଡ ।

ବିଶେଷ କରି ଲିପା ଘାଟି ସହ ପିଓକେର ଜୁରା, ଅଥମୁକମ୍ ଓ କୁନ୍ଦଲସାହିରେ ଥିବା ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବାକୁ ଏସବୁ ଲଙ୍ଗରେଞ୍ଜ ଆର୍ଟିଲାରି ଗନରେ ପ୍ରବଳ ଗୁଳିଗୋଳା ମାଡ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପିଓକେରେ ୪ଟି ଆତଙ୍କବାଦୀ ଶିବିର ସହ ଏକାଧିକ ସେନା ଛାଉଣୀକୁ ମଧ୍ୟ ଗୁଳିମାଡ କରି ଉଡାଇ ଦେଇଛି ଭାରତୀୟ ସେନା । ନିୟନ୍ତ୍ରଣ ରେଖା ଡେଇଁ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିବାକୁ ଅନାଇ ରହିଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି ।

ଶନିବାର ସଂଧ୍ୟାରୁ ଅସ୍ତ୍ରବିରତି ଉଲ୍ଲଂଘନ ଚଳାଇଛି ପାକିସ୍ତାନ । ନିୟନ୍ତ୍ରଣ ରେଖା ନିକଟ ଜାମ୍ମୁ-କାଶ୍ମୀରରେ ପ୍ରବଳ ଗୁଳିଗୋଳା ଓ ମୋର୍ଟାର ମାଡ କରୁଛି । ଫଳରେ ବିଶେଷ ପ୍ରଭାବିତ ହୋଇଛି ସୀମାନ୍ତବର୍ତୀ ଗାଁ । ପାକିସ୍ତାନ ସେନାର ମୋର୍ଟାର ମାଡରେ ଜଳି ଯାଇଛି ଜାମ୍ମୁ-କାଶ୍ମୀରର ହିରାନଗର ସେକ୍ଟରରେ ଥିବା ଏହି ଘର । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ପାଇଁ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି । ତେବେ ପାକ୍ ରେଞ୍ଜର୍ସଙ୍କ ଗୁଳିମାଡରେ ଦୁଇଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନର ନିଦ ହଜିଯାଇଛି । ଘାଟିରେ ଅଶାନ୍ତି ସୃଷ୍ଟି କରିବାକୁ ସୀମା ଆରପଟୁ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ପାଇଁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ସଇତାନ ପାକିସ୍ତାନ ।

ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏହିଭଳି ଜବାବି ହମଲା ପାଇଁ ଲଙ୍ଗରେଞ୍ଜ ଆର୍ଟିଲାରି ଗନକୁ ମୁତୟନ କରିଛି ଭାରତୀୟ ସେନା । ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେବାପାଇଁ ପିଓକେରେ ସେନା ଓ ଆତଙ୍କୀ ଶିବିରକୁ ଟାର୍ଗେଟ କରିବା ପାଇଁ ଏହାକୁ ବ୍ୟବହାର କରାଯାଉଛି । ୩୮ରୁ ୪୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରୁଥିବା ଏହି ଗନ୍ ପାହାଡି ଇଲାକାରେ ମଧ୍ୟ ସୀମା ଆରପଟେ ଶତ୍ରୁକୁ ଟାର୍ଗେଟ କରିପାରିବ । ଭାରତ ପାଖରେ ରୁଷିଆ ନିର୍ମିତ ହୋୱତଜର ଓ ସ୍ୱିଡେନ ନିର୍ମିତ ବୋଫର୍ସ ଆର୍ଟିଲାରି ଗନ୍ ରହିଛି ।