କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡିରେ ପହଂଚିଛନ୍ତି ଫାଇଭ୍-ଟି ସଚିବ । ଜିଲ୍ଲାର ବିକାଶ ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ । ମିଶନ ଶକ୍ତି ମହିଳାଙ୍କ ସହ କଥା ହେବା ପରେ ମିଳିମିଶି ଭଲ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ସାବିତ୍ରୀବ୍ରତରେ ଓପାସରେ ଥିଲେ ସୁଦ୍ଧା ବହୁ ସଂଖ୍ୟାରେ ମା’ମାନେ ଆସି ଫାଇଭ୍୍-ଟି ସଚିବଙ୍କୁ ଭେଟିଛନ୍ତି ।

Advertisment

କଳାହାଣ୍ଡି ବେଲଖଣ୍ଡି ଶିବ ମନ୍ଦିରର ଦର୍ଶନ କରିବା ପରେ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ । ୧୫ ଦିନ ଭିତରେ ପ୍ଲାନ ପ୍ରସ୍ତୁତି କରି ଦାଖଲ କଲେ, ଖୁବଶୀଘ୍ର ମଞ୍ଜୁରୀ ଦିଆଯିବ ବୋଲି କହିଛନ୍ତି । ସେହିପରି ସାନ୍ଦୁଲ ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ମାର୍ଚ୍ଚ ସୁଦ୍ଧା ସରିବ ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫ ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା ଅଂଚଳର ଚାଷୀ ଉପକୃତ ହେବେ । ଫଳରେ ଲୋକମାନେ ସହଜ ଓ ସୁବିଧାରେ ପାଣି ପାଇପାରିବେ ।

ଏସବୁ ଭିତରେ ମେଡ଼ିକାଲ କଲେଜର ଭିତିଭୂମି ବିକାଶର ଅନୁଧ୍ୟାନ କରିଛନ୍ତି । କ୍ରୀଡ଼ାର ବିକାଶ, ଭିତ୍ତିଭୂମିର ବିକାଶ, ଶିକ୍ଷାର ବିକାଶ ଆଦି ପ୍ରମୁଖ ଲକ୍ଷ୍ୟ ନେଇ ଜିଲ୍ଲାକୁ ଜିଲ୍ଲା ଯାଇ ନିଜେ ଅନୁଧ୍ୟାନ କରୁଛନ୍ତି ଫାଇଭ-ଟି ସଚିବ ଭି,କେ ପାଣ୍ଡିଆନ୍ ।