କନକ ବ୍ୟୁରୋ: ବିରୋଧ, ସମାଲୋଚନା ଓ ଆକ୍ରମଣ ଭିତରେ ଜାରି ରହିଛି ଫାଇଭ-ଟି ସଚିବଙ୍କ ଗସ୍ତ । ଯାଜପୁରରେ ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିବା ସହ ସମାଧାନ ପ୍ରତିଶ୍ରୁତି ଦେଉଛନ୍ତି ଭି.କେ ପାଣ୍ଡିଆନ୍ । ଏପଟେ ପୂର୍ବ ଘୋଷଣା ଅନୁସାରେ, କଂଗ୍ରେସର କଳା ପତାକା ପ୍ରଦର୍ଶନ ଜାରି ରହିଛି । ସରକାରୀ ଅଧିକାରୀଙ୍କ ରାଜନୀତିକୁ ନାପସନ୍ଦ କରି ବିଜେପି କରିଛି ନାରାବାଜି । ଆଉ ନବନିର୍ମାଣ କୃଷକ ସଂଗଠନ ମଧ୍ୟ ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶନ କରିଛି ।

Advertisment

ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବାବେଳେ, ସଚିବଙ୍କ ଗସ୍ତକୁ ବିରୋଧୀ ଜୋରଦାର ବିରୋଧ କରୁଥିବାବେଳେ, ଗସ୍ତ ଜାରି ରଖିଛନ୍ତି ଭି.କେ. ପାଣ୍ଡିଆନ୍ । ଆଜି ଦ୍ୱିତୀୟ ଦିନରେ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ବଡଚଣା ଓ ଧର୍ମଶାଳାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଜନସାଧାରଣଙ୍କ ସହ ହାତ ମିଳାଇବା ସହ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଆଉ ଯେଉଁମାନଙ୍କର ପାନୀୟ ଜଳ ସମସ୍ୟା ଅଛି, ତାକୁ ଦୁଇରୁ ତିନି ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅନ୍ୟା ସମସ୍ୟାର ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ ।

ଫାଇଭ-ଟି ସଚିବ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବି, ବିରୋଧୀ ଦଳମାନଙ୍କ ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଛି । ଭି.କେ ପାଣ୍ଡିଆନ୍ଙ୍କ ଯାଜପୁର ଗସ୍ତକୁ ବିରୋଧ କରିଛନ୍ତି, କଂଗ୍ରେସ, ବିଜେପି ସମେତ ନବନିର୍ମାଣ ସଂଘ । ଗୋପବନ୍ଧୁ ଛକରେ କଂଗ୍ରେସ କର୍ମୀମାନେ କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଛନ୍ତି । ସେହିପରି ବିଜେପି କର୍ମୀମାନେ ପାଣ୍ଡିଆନ୍ ରାଜନୀତି ଚଳିବ ନାହିଁ ନାରା ଦେଇ ପ୍ରତିବାଦ କରିଛନ୍ତି । ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ପ୍ରତିବାଦ କରାଯାଇଛି ।

ଏହା ଭିତରେ ଫାଇଭ୍-ଟି ସଚିବ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଗସ୍ତ କରି ସାରିଲେଣି । ଆଉ ସଚିବଙ୍କ ଏହି ଗସ୍ତକୁ ନେଇ ବିରୋଧୀ ଓ ଶାସକ ବିଜେଡି ମଧ୍ୟରେ କଥା କଟାକଟି ଲାଗି ରହିଛି ।