ପ୍ରତିଶ୍ରୁତି ପୂରା କଲେ ୫-ଟି ସଚିବ । ଯେଉଁ କାମ ୩ ମାସ ଧରି ବନ୍ଦ ରହିଥିଲା ତାହାକୁ ୩ ଘଣ୍ଟାରେ ସମାଧାନ କଲେ ଭି.କେ ପାଣ୍ଡିଆନ ।

1,296

କନକ ବ୍ୟୁରୋ : ୫-ଟିର ବଡ ପ୍ରଭାବ । ୩ ମାସର ସମସ୍ୟା ମାତ୍ର ୩ ଘଣ୍ଟାରେ ହୋଇଗଲା ସମାଧାନ । ଆଉ ସମସ୍ୟାର ସମାଧାନ ପାଇଁ ତୁରନ୍ତ ୩୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦିଆଗଲା ନିର୍ଦ୍ଦେଶ । ଆଉ ଏହା ପଛର ମୁଖ୍ୟ ପୁରୋଧା ସାଜିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସରକାରୀ କାମ ଯେଉଁଠି ବର୍ଷ ବର୍ଷ ଧରି ବିଳମ୍ବିତ ହୁଏ ସେଠାରେ ଏତେ କମ ସମୟରେ କିଭଳି ଏସବୁ ସମ୍ଭବପର ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ଏହାକୁ ପୂରା କରି ଦେଖାଇଛନ୍ତି ପାଣ୍ଡିଆନ୍ ।

ପ୍ରତିଶ୍ରୁତି ରଖିଲେ ପାଣ୍ଡିଆନ । ମୋ ସରକାର କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଆଜି ଅଚାନକ ଭଦ୍ରକରେ ପହଞ୍ଚିଥିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଭଦ୍ରକ ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ପାଣ୍ଡିଆନ । ଆଉ ଏହାପରେ ହସ୍ପିଟାଲରୁ ବାହାରି ସିଧା ଚରମ୍ପା ସ୍ଥିତ ସିଆରଏସଆର ଭିନ୍ନକ୍ଷମ ସେଣ୍ଟରରେ ପହଞ୍ଚିଥିଲେ ଫାଇଭ-ଟି ସଚିବ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ବସି କିଛି ସମୟ ଆଲୋଚନା କରିବା ପରେ ସେହିଠାରେ ହିଁ ମଧ୍ୟାହ୍ନଭୋଜନ କରିଥିଲେ । ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ସହ ସମସ୍ୟା ପଚାରି ବୁଝିଥିଲେ ୫-ଟି ସଚିବ ।

ଆଉ ଏହି ସମୟରେ ଭିନ୍ନକ୍ଷମ ସେଣ୍ଟରକୁ ଆସୁଥିବା ଅନୁଦାନ ପ୍ରାୟ ୩ ମାସ ଧରି ବନ୍ଦ ରହିଥିବା ଜାଣିବାକୁ ପାଇଥିଲେ ୫-ଟି ସଚିବ । ଯେଉଁଥିପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଳନପାଳନରେ ସମସ୍ୟା ହେଉଥିବା ଜଣାଇଥିଲେ କର୍ତ୍ତୃପକ୍ଷ । ତେବେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଆସିଥିଲେ ପାଣ୍ଡିଆନ । ଆଉ ଭୁବନେଶ୍ୱରରେ ପହଞ୍ଚିବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ୫-ଟି ସଚିବ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଖରେ ଟଙ୍କା ପହଞ୍ଚୁନଥିବାରୁ ଅସନ୍ତୋଷ ଜାହିର କରିଥିଲେ ନବୀନ । ଆଉ ସଙ୍ଗେ ସଙ୍ଗେ ୩ ମାସ ଧରି ବନ୍ଦ ଥିବା ଅନୁଦାନ ବାବଦକୁ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ନିର୍ଦ୍ଦେଶକ୍ରମେ ୩ଟି ଏନଜିଓ ସଂସ୍ଥାକୁ ୩୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯେଉଁଥିରେ ଭଦ୍ରକର ଚରମ୍ପା ସିଆରଏସଆର ଭିନ୍ନକ୍ଷମ ସେଣ୍ଟର ମଧ୍ୟ ରହିଛି ।

ତେବେ କେଉଁ କାରଣରୁ ଗତ ୩ ମାସ ହେବ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ଉକ୍ତ ସେଣ୍ଟରକୁ ଦିଆଯାଉନଥିଲା ତାହା ଉପରେ ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ମାସ ମାସ ଧରି ଉକ୍ତ ଅନୁଷ୍ଠାନକୁ ଏହି ଟଙ୍କା ଦିଆଯାଉନଥିଲା ସେ ବାବଦରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି । ଆଉ ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଅନ୍ଦରମହଲରୁ ସୂଚନା ମିଳିଛି । ତେବେ ୩ ମାସ ଧରି ପଡି ରହିଥିବା କାମ ୩ ଘଣ୍ଟାରେ ହୋଇଯିବା ପରେ ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି ସାଧାରଣ ଲୋକ ।