ଭାରତର ଟାର୍ଗେଟ ୨୦୪୭, ଓଡ଼ିଶାର ଟାର୍ଗେଟ ୨୦୩୪ । ବିଶ୍ୱ ଭାଷା ସମ୍ମିଳନୀରେ ପାଣ୍ଡିଆନଙ୍କ ମତ, କହିଲେ ଆସନ୍ତା ୫ ବର୍ଷ ଓଡ଼ିଶା ଲେଖିବ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ।

179

କନକ ବ୍ୟୁରୋ : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା ଉପରେ ଆଲୋକପାତ କରି ପାଣ୍ଡିଆନ କହିଛନ୍ତି, ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଭାରତର ସର୍ବୋତ୍ତମ ବିକାଶ ପାଇଁ ୨୦୪୭କୁ ଟାର୍ଗେଟ ରଖାଯାଇଛି । ଭାରତର ସ୍ୱପ୍ନ କଣ ଓ ବିକଶିତ ଭାରତ ପାଇଁ କଣ କରିବା ଆବଶ୍ୟକ, ୨୦୪୭ ସୁଦ୍ଧା କିଭଳି ଏହାକୁ ପୂରା କରାଯାଇପାରିବ ସେଦିଗରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କିନ୍ତୁ ଓଡ଼ିଶାର ଟାର୍ଗେଟ ହେଉଛି ୨୦୩୬ । ଓଡ଼ିଶା ୨୦୪୭ ଯାଏଁ ଅପେକ୍ଷା କରିବନି । ୨୦୩୬ ସୁଦ୍ଧା ଓଡ଼ିଶାର ବିକାଶ କେଉଁ ସ୍ତରରେ ପହଞ୍ଚିଥିବ ତାହା ଆମର ମୁଖ୍ୟ ପ୍ରାଥମିକତା । ତେବେ ୨୦୩୬ରେ ଓଡ଼ିଶାକୁ ଯେଉଁସ୍ତରରେ ଆମେ ଦେଖିବାକୁ ଚାହୁଁଛେ ତାହାକୁ ୨୦୩୪ ସୁଦ୍ଧା ଶେଷ କରିବା ଆମର ଲକ୍ଷ୍ୟ । ତେଣୁ ଆମର ବିକଶିତ ଓଡ଼ିଶା ପାଇଁ ଆମ ଟାର୍ଗେଟ ହେଉଛି ୨୦୩୪ । ତେଣୁ ହାତରେ ଆଉ ମାତ୍ର ୧୦ ବର୍ଷ ସମୟ ରହିଛି । ଏହି ସମୟସୀମା ମଧ୍ୟରେ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢିତୋଳିବାକୁ ହେବ ।

୨୦୧୯ ପରେ ଓଡ଼ିଶାରେ ଅନେକ ପରିବର୍ତ୍ତନ ଆସିଛି । ୨୦୧୯ରୁ ଓଡ଼ିଶାରେ ରୂପାନ୍ତରଣ ଆରମ୍ଭ ହୋଇଛି । ପ୍ରତିଟି କ୍ଷେତ୍ରରେ ରୂପାନ୍ତରଣ ଦେଖିବାକୁ ମିଳିଲା । ପୁରୀ ପରିକ୍ରମା ପ୍ରକଳ୍ପକୁ ମାତ୍ର ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ କେଉଁଠି ଥିଲୁ ଏବଂ କେଉଁଠି ପହଞ୍ଚିଛୁ ତାହାକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ନୂଆ ଓଡ଼ିଶାର ପରିଭାଷା କଣ ତାହାର ଆକଳନ ଏବେଠୁ କରିବା ଉଚିତ୍ ନୁହେଁ । କାରଣ ସମୟ ସହ ତାଳ ଦେଇ ବଦଳୁଛି ଓଡ଼ିଶା । କେଉଁଠି ଆମକୁ ପହଞ୍ଚିବାର ଅଛି ତାହା ଏବେଠୁ ସ୍ଥିର କରିବା କିନ୍ତୁ କେଉଁ ରାସ୍ତାରେ ଯିବା ତାହା ଆଜିଠାରୁ ସ୍ଥିର କରିବା । ଯେଉଁଥିପାଇଁ ନୂଆ ଓଡ଼ିଶାର ପରିକଳ୍ପନା ।

୨୦୦୦ ମସିହାରେ ଓଡ଼ିଶାରେ ୭୦% ଲୋକ ଗରିବ ଥିବା ବେଳେ ଏବେ ଏହା ହ୍ରାସ ପାଇ ୧୧%ରେ ପହଞ୍ଚିଛି । ଏହା ହିଁ ଆମର ଉପଲବ୍ଧି । ୧୯୯୯ ମହାବାତ୍ୟାରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଦୟନୀୟ ଅବସ୍ଥାକୁ ଏଥିପାଇଁ ଦାୟୀ କରାଗଲା । କିନ୍ତୁ ୨୦୧୨ରେ ଯେଉଁ ମହାବାତ୍ୟା ଆସିଲା ସେଥିରେ ଗୋଟିଏ ବି ଜୀବନ ଯେପରି ନଯାଏ ତାହା ଉପରେ କେବଳ ରାଜ୍ୟ ସରକାର ଗୁରୁତ୍ୱ ଦେଇନଥିଲେ ବରଂ ଏଥିରେ ସଫଳ ମଧ୍ୟ ହୋଇଥିଲେ । ଆଉ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ସ୍ଥାନ ମିଳିଥିଲା । ବିପର୍ଯ୍ୟୟ ପରିଚାଳନା ଓଡ଼ିଶା ମଡେଲକୁ ଆପଣାଇବାକୁ ବିଶ୍ୱକୁ ବାର୍ତ୍ତା ଦିଆଯାଇଥିଲା । ୨୦୦୦ ପୂର୍ବରୁ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଥିଲା କିନ୍ତୁ ଏବେ ଅନ୍ୟ ୫ ରାଜ୍ୟ ଓଡ଼ିଶାର ଖାଦ୍ୟ ଆସିବାକୁ ଅପେକ୍ଷା କରି ରହୁଛନ୍ତି । ଏହା ହିଁ ରୂପାନ୍ତରଣ । ଓଡ଼ିଶା ଭଳି ରାଜ୍ୟ କରୋନା ମୁକାବିଲା କିଭଳି କଲା ତାହା ଜାଣିବାକୁ ବିଶ୍ୱର ବଡ ବଡ ଶିକ୍ଷାନୁଷ୍ଠାନ ଆଗ୍ରହୀ । କିଭଳି କରୋନା ମହାମାରୀ ସମୟରେ ସାରା ଭାରତରେ ଓଡ଼ିଶାର ମୃତ୍ୟୁହାର ସବୁଠାରୁ କମ ଥିଲା । ୨୨ ରାଜ୍ୟକୁ ଅକ୍ସିଜେନ ପଠାଇଥିଲା ଓଡ଼ିଶା । ଏବେ ଡାକ୍ତରବଳକା ରାଜ୍ୟ ଭାବେ ଉଭା ହେବାକୁ ଯାଉଛି ଓଡ଼ିଶା । ଆସନ୍ତା କିଛି ବର୍ଷ ମଧ୍ୟରେ ଏସସିବି ମେଡିକାଲ କଲେଜ ବିଶ୍ୱର ଶ୍ରେଷ୍ଠ ହସ୍ପିଟାଲ ଭାବେ ଛିଡା ହେବ । ଆମ ରାଜ୍ୟର ଲୋକଙ୍କୁ ବାହାରକୁ ଯିବାକୁ ପଡିବନି, ବାହାରୁ ଲୋକ ଏଠାରେ ଚିକିତ୍ସିତ ହେବା ପାଇଁ ଲାଇନ ଲଗାଇବେ । ସେଭଳି ଭିତ୍ତିଭୂମି ସୃଷ୍ଟି କରିବା ହିଁ ନୂଆ ଓଡ଼ିଶାର ପରିକଳ୍ପନା ।

୨୦୦୦ ମସିହାରେ ପୁଞ୍ଜିନିବେଶ ପାଇବା ଦିଗରେ ସବୁଠୁ ତଳ ରାଜ୍ୟ ଥିଲା ଓଡ଼ିଶା । କିନ୍ତୁ ଏବେ ପୁଞ୍ଜିନିବେଶ ପାଇବାରେ ଓଡ଼ିଶା ଦେଶର ୨ ନମ୍ବର ସ୍ଥାନରେ ରହିଛି । ବିଶ୍ୱର ବଡ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ହେବାକୁ ଯାଉଛି । ଇଭି ଗାଡି ଉତ୍ପାଦନ ପାଇଁ ଜେଏସଡବ୍ଲୁ ସହ ଚୁକ୍ତି କରିଛୁ । ପୂରା ଦେଶରେ ଓଡ଼ିଶାର ବେକାରୀ ହାର ସର୍ବନିମ୍ନ । ଟପ୍- ଆଇଟି କମ୍ପାନି ଓଡ଼ିଶା ଆସୁଛନ୍ତି । ଆଇଟି କ୍ୟାପିଟାଲ ହେବାକୁ ଯାଉଛି ଓଡ଼ିଶା । ୨୦୦୦ ମସିହାରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନଥିଲା । ଏବେ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ମୁଣ୍ଡ ପିଛା ଋଣ ଦିନକୁ ଦିନ କମୁଛି ।

ମହିଳା ସଶକ୍ତିକରଣରେ ଓଡ଼ିଶା ଏବେ ଏକ ନମ୍ବରରେ ରହିଛି । ମହିଳାଙ୍କ ପାଇଁ ରାଜନୀତିରେ ୫୦% ସଂରକ୍ଷଣ ଦେବାକୁ ନବୀନ ପ୍ରୟାସ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ୧୫ ହଜାର କୋଟି ଟଙ୍କାର ଋଣ ଦେଉଛନ୍ତି ସରକାର । ଯାହା ଓଡ଼ିଶାକୁ ଆହୁରି ସଶକ୍ତ କରିବ । ପୂରା ରୂପାନ୍ତରଣ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ସରକାରଙ୍କୁ ଲୋକଙ୍କ ସହ ଯୋଡିବାକୁ ମୋ ସରକାର ବ୍ୟବସ୍ଥା ଆଣିଛନ୍ତି ଓଡ଼ିଶା ସରକାର । ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି ଓଡ଼ିଶାକୁ ଆଗେଇ ନେବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ବର୍ଷ ଗୁଡିକରେ ଯେଉଁ ରାସ୍ତା ଅତିକ୍ରମ କରିଛେ ତାହା ଆସନ୍ତା ୧୦ ବର୍ଷ ପାଇଁ ଆତ୍ମବିଶ୍ୱାସ ବଢାଇବ । ଏହି ଆତ୍ମବିଶ୍ୱାସ ହିଁ ଓଡ଼ିଶାକୁ ଆହୁରି ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ନେବ । ଆସନ୍ତା ୨୦୨୪ରୁ ୨୦୨୯ ଓଡ଼ିଶା ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ଯାଉଛି । ଓଡ଼ିଶା ଏବେ ଅନ୍ୟ ରାଜ୍ୟ ସହ ନୁହେଁ ବରଂ ବିଶ୍ୱ ସହ ପ୍ରତିଯୋଗିତା କରୁଛି ।