ରାଜ୍ୟ ସରକାରଙ୍କ ତାଗିଦ ପରେ ମୁଣ୍ଡ ନୁଆଁଇଲା ହାଇଟେକ୍ ମେଡିକାଲ କଲେଜ । ପୂର୍ବ ନିର୍ଦ୍ଧାରିତ ଫି ଷ୍ଟ୍ରକଚର ଅନୁଯାୟୀ ଆଡମିଶନ ନେଲେ ୫ ଛାତ୍ରଛାତ୍ରୀ ।

228

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଚେତାବନୀ ଆଗରେ ମୁଣ୍ଡ ନୁଆଁଇଲେ ହାଇଟେକ ମେଡିକାଲ କର୍ତ୍ତୃପକ୍ଷ । ମେଡିକାଲ ପାଠ୍ୟକ୍ରମ ପାଇଁ ଆଜି ୫ ଜଣ ଛାତ୍ରଛାତ୍ରୀ ହାଇଟେକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପୂର୍ବରୁ ନିର୍ଦ୍ଧାରିତ ଥିବା ଫି ଷ୍ଟ୍ରକଚର ଅନୁସାରେ ହାଇଟେକ ମେଡିକାଲ କଲେଜରେ ଆଡମିଶନ କରିଛନ୍ତି ଏହି ଛାତ୍ରଛାତ୍ରୀ । ଏପରିକି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ବର୍ଦ୍ଧିତ ଫି ଆଦାୟ ନେଇ କୌଣସି ଅଣ୍ଡରଟେକିଂ ନିଆଯାଇନାହିଁ ।

ଏହାପୂର୍ବରୁ ହାଇଟେକ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମନମାନି ଉପରେ ରୋକ ଲଗାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପଦକ୍ଷେପ ନେଇଥିଲେ । ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଚେତାବନୀ ଦେଇଥିଲା ଯେ, ଓଜେଇଇରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ଫି ଆଳରେ ନାମ ଲେଖାରୁ ବାରଣ କଲେ ଏନଓସି ପ୍ରତ୍ୟାହାର କରାଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇଟେକ କଲେଜ କର୍ତୃପକ୍ଷଙ୍କ ପାଇଁ ୩ଟି ସର୍ତ ରଖାଯାଇଥିଲା ।

• ପ୍ରଥମ ସର୍ତ୍ତ : ଓଜେଇଇ ଗାଇଡଲାଇନ ଅନୁଯାୟୀ, କଲେଜରେ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ରିପୋର୍ଟିଂ ହେବ ।
• ଦ୍ୱିତୀୟ ସର୍ତ୍ତ : ନାମ ଲେଖା / ରିପୋର୍ଟିଂ ସମୟରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ବର୍ଦ୍ଧିତ ଫି ଆଦାୟ ନେଇ କୌଣସି ଅଣ୍ଡରଟେକିଂ ନେଇପାରିବେ ନାହିଁ ।
• ତୃତୀୟ ସର୍ତ୍ତ : କଲେଜ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ ହୋଇଥିବା ଫି ଷ୍ଟ୍ରକଚରକୁ ମାନିବେ ।

ଏସବୁ ସର୍ତ୍ତ ଖିଲାପ କଲେ ସରକାରୀ ନିର୍ଦ୍ଦେଶ ଅବମାନନା ବୋଲି ଧରାଯିବ । ପରେ କଲେଜର ଏନଓସି ପ୍ରତ୍ୟାହର କରାଯିବ ବୋଲି ଚିଠିରେ ଚେତାବନୀ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଓଜେଇଇରେ ଯୋଗ୍ୟ ବିବେଚତ ଛାତ୍ରଛାତ୍ରୀ ହାଇଟେକ ମେଡିକାଲକୁ ନାମ ଲେଖାଇବାକୁ ଯାଇଥିଲେ । ହେଲେ କଲେଜ କର୍ତ୍ତୃପକ୍ଷ ଧାର‌୍ୟ୍ୟ ଫି ଠାରୁ ଅଧିକ ଦାବି କରିବାରୁ ସ୍ୱାସ୍ଥ୍ୟ ବିଭାଗ ପାଖରେ ଫେରାଦ ହୋଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ସଂଘ। ଏହି ଅଭିଯୋଗ ଆଧାରରେ ହାଇଟେକ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖି ତାଗିଦ୍ କରିଥିଲା । ଆଉ ରାଜ୍ୟ ସରକାରଙ୍କ ତାଗିଦ ପରେ ଆଜି ପୂର୍ବ ନିର୍ଦ୍ଧାରିତ ଫି ଷ୍ଟ୍ରକଚର ଅନୁଯାୟୀ ଆଡମିଶନ କରିଛନ୍ତି ଛାତ୍ରଛାତ୍ରୀ ।