ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, କେରଳରେ ପୁଣି ଜିତିଲା ବାମ ସାମୁଖ୍ୟ, ପୁଡୁଚେରୀରେ କ୍ଷମତାକୁ ଆସିଲା ଏନଡିଏ ।

255

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତାଙ୍କ ବଡ ବିଜୟ, ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, ତାମିଲନାଡୁରେ ବଦଳିଲା ସରକାର, କେରଳରେ ବାମଦଳର ଫେରିଲା ସରକାର ଓ ପୁଡୁଚେରୀରେ ବିଜେପିର ବିଜୟ । ପାଂଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ଉପରେ ଆଜି ସାରାଦେଶର ନଜର ରହିଥିଲା । ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ ଦଳ ବହୁମତଠାରୁ ବହୁ ଆଗରେ ରହିଥିବାବେଳେ ବିଜେପିକୁ ଦୁଇ ଅଙ୍କରେ ସନ୍ତୁଷ୍ଟ ରହିବାକୁ ପଡିବ ।

ଶେଷ ଖବର ଅନୁସାରେ ଟିଏମସି ୨୧୫ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୭୬ଟି ଆସନରେ ଆଗୁଆ ରହିଛି । କିନ୍ତୁ ସଫା ହୋଇଯାଇଛନ୍ତି ବାମଦଳ ଓ କଂଗ୍ରେସ । ସେହିପରି ତାମିଲନାଡୁରେ ବଦଳିଯାଇଛି ସରକାର । ଶାସକ ଦଳ ଏଆଇଏଡିଏମକେକୁ ହରାଇ ୧୦ ବର୍ଷ ପରେ କ୍ଷମତାକୁ ଆସିଛି ଡିଏମକେ । ଡିଏମକେ ମେଂଟ ୧୪୮ଟି ଆସନରେ ଆଗୁଆ ଥିବାବେଳେ ଏଆଇଏଡିଏମକେ ମେଂଟ ୮୪ଟି ଆସନରେ ଆଗୁଆ ରହିଛି ।

ସେହିପରି କେରଳରେ ବାମ ସାମୁଖ୍ୟ ପୁଣି ଥରେ କ୍ଷମତାକୁ ଫେରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ୧୪୦ ଆସନ ବିଶିଷ୍ଟ ଏହି ବିଧାନସଭା ପାଇଁ ସରକାର ଗଢ଼ିବାକୁ ୭୧ଟି ଆସନ ଆବଶ୍ୟକ ହେଉଥିବାବେଳେ ୯୬ଟି ଆସନରେ ଆଗୁଆ ରହିଛି ବାମସାମୁଖ୍ୟ । କଂଗ୍ରେସ ମେଂଟକୁ ୪୨ଟି ଆସନରେ ଆଗୁଆ ରହିଛି ।

ତେବେ ବିଜେପି ଆସାମରେ ପୁଣି ଥରେ ଶାସନ ବଜାୟ ରଖିବାକୁ ସକ୍ଷମ ହୋଇଛି । ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୬ଟି ଆସନରେ ଓ କଂଗ୍ରେସ ୪୮ଟି ଆସନରେ ଆଗୁଆ ରହିଛି । ସେହିପରି ପୁଡୁଚେରୀରେ ବିଜେପି ନୂଆ କରି ସରକାର ଗଢ଼ିବ । ୩୦ ଆସନରୁ ଏନଡିଏ ୧୫, କଂଗ୍ରେସ ମେଂଟ ୧୦ ଓ ଅନ୍ୟମାନେ ୬ଟି ଆସନରେ ଆଗୁଆ ରହିଛନ୍ତି । ତେବେ ଏବେ ବି ଅଧିକାଂଶ ଆସନରେ ଭୋଟ ଗଣତି ଜାରି ରହିଥିବାରୁ ଚୂଡାନ୍ତ ଫଳାଫଳ ଆସିନାହିଁ ।