କନକ ବ୍ୟୁରୋ: ୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ ସହିତ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସୂଚନା ମୁତାବକ, କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

Advertisment

କେଉଁ ରାଜ୍ୟରେ କେବେ ପଡିବ ଭୋଟ୍ ?

  • ମିଜୋରାମ - ନଭେମ୍ବର ୭ ତାରିଖ
  • ମଧ୍ୟପ୍ରଦେଶ - ନଭେମ୍ବର ୧୭ ତାରିଖ
  • ରାଜସ୍ଥାନ - ନଭେମ୍ବର ୨୩ ତାରିଖ
  • ତେଲେଙ୍ଗାନା - ନଭେମ୍ବର ୩୦ ତାରିଖ
  • ଛତିଶଗଡ - ନଭେମ୍ବର ୭ ତାରିଖ ଏବଂ ନଭେମ୍ବର ୧୭ ତାରିଖ
  • ସମସ୍ତ ରାଜ୍ୟର ଭୋଟ୍ ଫଳାଫଳ – ଡିସେମ୍ବର ୩ ତାରିଖ

ମୁଖ୍ୟ ନିର୍ବାଚନ ଆୟୋଗକଙ୍କ ସୂଚନା ମୁତାବକ, ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୬୭୯ ବିଧାନସଭା ସିଟ୍ ରହିଛି । ଯେଉଁଠି ୧୬.୧୪ କୋଟି ଲୋକ ନିଜର ସରକାର ନିର୍ଦ୍ଧାରଣ କରିବେ । ଏହି ୫ଟି ରାଜ୍ୟରେ ମୋଟ ୮.୨ କୋଟି ପୁରୁଷ ଭୋଟର ଥିବାବେଳେ, ୭.୮ କୋଟି ମହିଳା ଭୋଟର ଅଛନ୍ତି । ତେବେ ଏଥର ନିର୍ବାଚନରେ ୬୦.୨ ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ରାଜୀବ କୁମାର ।

ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ଯେ, ତାରିଖ ଘୋଷଣା ପୂର୍ବରୁ ୪୦ ଦିନରେ ସେ ୫ଟି ରାଜ୍ୟକୁ ଗସ୍ତ କରିଛନ୍ତି । ସେଠାରେ ସେ ରାଜନୈତିକ ଦଳମାନଙ୍କ ସହ ରାଜ୍ୟ ସରକାର ଏବଂ ସରକାରୀ ଏଜେନ୍ସି ମାନଙ୍କ ସହ ବୈଠକ କରିଛନ୍ତି । ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୩୦ ତାରିଖ ଭିତରେ କୌଣସି ବି ଭୋଟର ନିଜ ଭୋଟର ଆଇଡି କାର୍ଡରେ ସଂଶୋଧନ କରିପାରିବେ । ବିଏଲଓ କିମ୍ବା ସିଧା ୱେବସାଇଟ୍ ଜରିଆରେ ଏହା ପରିବର୍ତ୍ତନ କରାଯାଇପାରିବ । ଏଥର ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୧.୭୭ ଲକ୍ଷ ପୋଲିଂ ବୁଥ ପ୍ରସ୍ତୁତ କରାଯିବ । ପୋଲିଂ ବୁଥ୍ ଭିତରେ ଦୂରତା ୨ କିଲୋମିଟରରୁ ଅଧିକ ହେବ ନାହିଁ । ବରିଷ୍ଠ ଲୋକମାନେ ମଧ୍ୟ ଘରେ ବସି ଭୋଟ୍ ଦେଇପାରିବେ ବୋଲି ସୂଚନା ଦିଆଯାଇଛି ।