କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମାଗଣାରେ ଦିଆଯିବ କରୋନା ଟିକା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ନାଗରିକ

3,196

କନକ ବ୍ୟୁରୋ : କରୋନା ଟିକାକୁ ନେଇ ସାରା ବିଶ୍ୱରେ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟ ମାନେ ଏବେ ବିଚାର କିରବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ ଠାରୁ ଟଙ୍କା ଆଦାୟ କରିବେ । ଯଦି ଟଙ୍କା ଆଦାୟ କରିବେ ତେବେ ପ୍ରତି ଡୋଜକୁ ତାକୁ କେତେ ଟଙ୍କା ଦେବାକୁ ପଡିବ । ଏବାବଦରେ ତା ପରିବାର ପାଇଁ ମୋଟ କେତେ ଟଙ୍କା ଲାଗିବ । ଯଦି ଟିକା ମହଙ୍ଗା ହୁଏ ତେବେ ସେ ତା ପରିବାରର ସମସ୍ତ ସଦ୍ୟସ୍ୟଙ୍କ ପାଇଁ ଟିକା କିଣିପାରିବ ତ ? । ଏଭଳି ଅନେକ ପ୍ରଶ୍ନ ସରକାରଙ୍କ ଠାରୁ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି । ହେଲେ ଏହାରି ମଧ୍ୟରେ ରାଜନୀତିର ପଶାପାଲିରେ ଟିକା ଏକ ମୁଦ୍ଦା ହୋଇଯାଇଛି ।

ଭାରତର ୫ ଟି ରାଜ୍ୟ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରଥମେ ବିହାର ନିର୍ବାଚନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ କି ବିହାରରେ ବିଜେପି ଓ ଜେଡିୟୁ ସରକାର ଗଠନ କଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଏବେ ସେଠାରେ ବିଜେପି ଜେଡିୟୁକୁ ଲୋକମାନେ ବହୁମତ ଦେଇଥିବାରୁ ନିର୍ମଳାଙ୍କ ମାୟାରେ ଛନ୍ଦି ହୋଇ ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ ନିତୀଶ କହିଛନ୍ତି । ସେହିପରି କେରଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଟିକା ନେବା ବେଳେ କେରଳବାସୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଯଦି କେନ୍ଦ୍ରସରକାର ଟିକା ବାବଦକୁ ଅର୍ଥ ନିଅନ୍ତି ତାହେଲେ ସେ ଅର୍ଥ କେରଳ ସରକାର ବହନ କରିବେ । ସେପଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି ପାଲାନିସ୍ୱାମୀଙ୍କ ସରକାର ବି ତାମିଲନାଡୁରେ ସମ୍ପୁର୍ଣ୍ଣ ମାଗଣା ଟିକାକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ବି ମାଗଣା ଟିକା ଘୋଷଣା କରିଥିିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଦେଶର ୩୦ ରାଜ୍ୟ ମଧ୍ୟରୁ ୫ ଟି ରାଜ୍ୟ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଥିବା ବେଳେ ଅନ୍ୟ ରାଜ୍ୟସରକାର ମାନେ ଟିକା ଆସିବା ପୂର୍ବରୁ ଏନେଇ ଘୋଷଣା କରୁଛନ୍ତି ନା କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।