ରାଜ୍ୟ ଭିତରେ ଚାଲିବ ୫ଟି ସ୍ୱତନ୍ତ୍ର ଟ୍ରେନ୍ । ଶନିବାର ଓ ରବିବାର ବନ୍ଦ ରହିବ ସେବା, ପୂର୍ବତଟ ରେଳବାଇର ଘୋଷଣା ।

982

କନକ ବ୍ୟୁରୋ : କରୋନା ଭାଇରସ ପାଇଁ ଲକଡାଉନ ୫.୦ ଜାରି ଥିବା ବେଳେ ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା ହୋଇଛି । ଏହି ୫ଟି ସ୍ୱତନ୍ତ୍ର ଟ୍ରେନ ଜୁନ ୮ ତାରିଖ ଠାରୁ ଜୁନ ୩୦ ଯାଏଁ ଚାଲିବ । କିନ୍ତୁ ଏହି ଅବଧି ମଧ୍ୟରେ ପ୍ରତି ଶନିବାର ଓ ରବିବାର ସ୍ୱତନ୍ତ୍ର ଟ୍ରେନ ସେବା ବନ୍ଦ ରହିବ । ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ଟ୍ରେନ ଚଳାଚଳ କରିବ ।

ରେଳବାଇ ପକ୍ଷରୁ କୁହାଯାଇଛି ଯେ, ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବା ଲାଗି ଆଇଆରସିଟିସି ୱେବସାଇଟରୁ ରିଜରର୍ଭେସନ ଟିକେଟ ମିଳିପାରିବ । ରେଳବାଇ ପକ୍ଷରୁ କୁହାଯାଇଛି ଯେ, କୋଭିଡ-୧୯ ଗାଇଡଲାଇନ ଅନୁସାରେ ଯାତ୍ରୀଙ୍କୁ ନିୟମ ପାଳନ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ସମଗ୍ର ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ଆରମ୍ଭ ହେବା ପରେ ସାଧାରଣ ରେଲ ସେବା ବନ୍ଦ ହୋଇଛି । ଜୁନ ୧ ତାରିଖ ଠାରୁ ଯଦିଓ ଟ୍ରେନ ଚଳାଚଳ କରିଛି, ତଥାପି ଏହା ପୂର୍ବଭଳି ସ୍ୱାଭାବିକ ହୋଇପାରି ନାହିଁ । ରାଜ୍ୟରେ ୫ଟି ଟ୍ରେନ ଚଳାଚଳ କରିବା ପରେ ଲୋକମାନେ ଭୁବନେଶ୍ୱରକୁ ସୁବିଧାରେ ଆସିପାରିବେ । ଏହି ୫ଟି ଟ୍ରେନ ଚାଲିବା ଦ୍ୱାରା ରାଜ୍ୟର ଲକ୍ଷାଧିକ ଲୋକ ଉପକୃତ ହୋଇପାରିବେ ।