କନକ ବ୍ୟୁରୋ: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପହଞ୍ଚିଥିଲେ । ନିର୍ମାଣସ୍ଥଳ ପରିଦର୍ଶନ କରି ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ । ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସ୍ ଟର୍ମିନାଲ ହେଉଛି ରାଜଧାନୀ ଭୁବନେଶ୍ୱରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନଜିଟ୍ ସିଷ୍ଟମ । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି । ଏଥିରେ ଫୁଡକୋର୍ଟ, ବହୁତଳୀୟ କାର୍ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ପିକଅପ୍ ଓ ଡ୍ରପ୍ ଅପ୍ ବ୍ୟବସ୍ଥା ରହିବ । ଏହାସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଏଥିରେ ଓ୍ୱାଇ-ଫାଇ ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏତଦବ୍ୟତୀତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ବସ୍ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।
ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା – ବିଶାଖାପାଟନା, ହାଇଦ୍ରାବାଦ,ରାୟପୁର, ରାଞ୍ଚି, କୋଲକତା ଓ ବେଙ୍ଗାଲୁର ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବସ୍ ଚଳାଚଳ କରାଯିବ। ଏହି ସମୀକ୍ଷା ସମୟରେ ପରିବହନ କମିଶନର ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତରାଜ କୁଲାଙ୍ଗେ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
Follow Us