ବିରୋଧ ଭିତରେ ଜଗତସିଂହପୁର ଗସ୍ତରେ ୫-ଟି ସଚିବ । ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା । କଳା ଟି-ସାର୍ଟ ପିନ୍ଧି, କଳା ବେଲୁନ ଉଡାଇ ପ୍ରତିବାଦ କଲା ବିଜେପି ଯୁବମୋର୍ଚ୍ଚା

7,003

କନକ ବ୍ୟୁରୋ: କେନ୍ଦ୍ରର ଚିଠି ଓ ବିରୋଧୀଙ୍କ ସମାଲୋଚନା ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫-ଟି ସଚିବ । ଆଜି ଜଗତସିଂହପୁର ଜିଲ୍ଳା ଗସ୍ତ କରି ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଆଳି ବେଳାଭୂମିର ବିକାଶ, ବେଳାଭୂମି ରାଜପଥ ନିର୍ମାଣ, କମ୍ୟୁନିଟି ସେଣ୍ଟର, ପାନୀୟ ଜଳଯୋଗାଣ ପ୍ରକଳ୍ପ ଆଦି ଖୁବ୍ ଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

  • କେନ୍ଦ୍ରର ଚିଠି ପରେ ୫-ଟି ସଚିବଙ୍କ ଜଗତସିଂହପୁର ଗସ୍ତ
  • ପାରାଦୀପରେ ଗସ୍ତକୁ ବିରୋଧ କରି ବିଜେପିର ପ୍ରତିବାଦ

ଏପଟେ ୫-ଟି ସଚିବଙ୍କ ଗସ୍ତକୁ ବିଭିନ୍ନ ସ୍ଥାନରେ ବିରୋଧ କରିଛି ବିଜେପି । ପାରାଦୀପ, କୁଜଙ୍ଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ସଚିବଙ୍କ ହେଲିକପ୍ଟର ଆକାଶ ମାର୍ଗରେ ଯାଉଥିବାବେଳେ, କଳା ବେଲୁନ୍ ଉଡାଇ, କଳା ପୋଷାକ ପିନ୍ଧି, ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଜେପି ନେତା ଓ କର୍ମୀ । ହେଲେ ବିଜେଡି ନେତା ଦାବି କରି କହିଛନ୍ତି ଯେ, ବିରୋଧୀ ଯେତେ ଅପପ୍ରଚାର କଲେ ବି ଆଗାମୀ ନିର୍ବାଚନରେ ମଧ୍ୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବେ ।

ବ୍ୟକ୍ତିଗତ ସଚିବଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମତା ହସ୍ତାନ୍ତର କରିଦେଇଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଥମଥର ରଖିଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସଂପୂର୍ଣ୍ଣ ସାମ୍ବିଧାନିକ । ସେ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଦଳର ମୁଖ୍ୟ ହିସାବରେ ଦଳର କର୍ମୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହିସାବରେ ସରକାରୀ କର୍ମକର୍ତ୍ତାଙ୍କୁ ମଧ୍ୟ ଦାୟିତ୍ୱ ଦେଉଛନ୍ତି । ଡିଓପିଟି ଚିଠି ଆସିବା ନୂଆ କଥା ନୁହେଁ, ଏଭଳି ଚିରାଚରିତ ଚିଠି ଆମେ ଆଗରୁ ଅନେକ ଦେଖିଛୁ ।

ଅନ୍ୟପକ୍ଷରେ ବିଜେପି ଚେତାଇ ଦେଇଛି ଯେ, କେନ୍ଦ୍ରର ଚିଠିକୁ ଛୋଟ ଭାବିବା ବୋକାମୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଧାଡିକିଆ ଚିଠି ଆଟମ୍ ବମ ଭଳି ହେବ । ସେମାନଙ୍କ ଗର୍ବ, ଅହଙ୍କାର ଭାଙ୍ଗିଦେବ । ସରକାର ଭାଙ୍ଗିଯିବା ଭଳି ସ୍ଥିତି ଉପୁଜିବ । ବିଜେଡି ସାଂସଦ ଓ ବିଧାୟକମାନେ ଅସହାୟ, ଫାଇଭ-ଟି ସଚିବଙ୍କ ଦାସତ୍ୱ ସ୍ୱୀକାର କରିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି । ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ଏବେ ଅମଲାତନ୍ତ୍ର ନିୟନ୍ତ୍ରଣରେ ରାଜନେତା ରହିଥିବା ଟିପ୍ପଣୀ କରିଛନ୍ତି ।

ବିରୋଧୀଙ୍କ ଘନଘନ ଆକ୍ରମଣ କିନ୍ତୁ ୫-ଟି ସଚିବଙ୍କ ଜିଲ୍ଳା ଗସ୍ତ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ଜଗତସିଂହପୁର ଜିଲ୍ଳାର ଶିଆଳି ବେଳାଭୂମି ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ । ସେଠାରେ ସଚିବଙ୍କୁ ମହିଳାମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ମିଶନ ଶକ୍ତିର ମହିଳାମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିଛନ୍ତି ୫-ଟି ସଚିବ ।