କନକ ବ୍ୟୁରୋ: କୁନି ଝିଅ ତଣ୍ଟିରୁ ବାହାରିଲା ୫ ଟଙ୍କିଆ କଏନ । କଟକ ବଡ ମେଡିକାଲରେ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଚିକିତ୍ସା କରି ତଣ୍ଟିରୁ କଏନ ବାହାର କରାଯାଇଛି । ଆଉ ତଣ୍ଟିରୁ ୫ ଟଙ୍କିଆ କଏନ ବାହାର କରାଯିବା ପରେ ଆଶ୍ୱସ୍ତି ଅନୁଭବ କରିଛି କୁନିଝିଅ ଛାୟା ।

Advertisment

ତେବେ ଗତକାଲି ବାଲେଶ୍ୱରର ୭ ବର୍ଷର କୁନି ଝିଅ ଛାୟା ଖେଳିବା ବେଳେ ଗୋଟେ କଏନ ଗିଳି ଦେଇଥିଲା । ପାଟିରେ ଟଙ୍କା ରଖି ଥିବା ବେଳେ ଅଜାଣତରେ ଗିଳି ଦେଇଥିଲା । ଏହା ପରେ ତାକୁ ବାଲେଶ୍ୱର ମେଡିକାଲ ଆଣିଥିଲେ ବି ସେଠାରେ କୌଣସି ସୁବିଧା ନଥିଲା ।

ଚିକିତ୍ସା ପାଇଁ ଆଧୁନିକ ଯନ୍ତ୍ରପାତିର ଆବଶ୍ୟକତା ଥିବାରୁ ଚିକିତ୍ସା ହୋଇପାରି ନଥିଲା । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ କଟକ ସ୍ଥାନାନ୍ତର କରାଯାଇ ଶେଷରେ ଛାୟା ତଣ୍ଟିରୁ ୫ ଟଙ୍କିଆ କଏନ ବାହାର କରାଯାଇଛି ।

ତେବେ ଅନେକ ସମୟରେ ଦେଖାଯାଉଛି, ଖେଳ କୁଦ ବେଳେ ପିଲାମାନେ ଟଙ୍କା, ଗୋଡି, ଖଡି, ବ୍ୟାଟେରୀ, ଲକେଟ୍ ଗିଳିଦିଅନ୍ତି । ଆଉ ସେମାନଙ୍କ ତଣ୍ଟିରୁ ବାହାର କରିବା ମୁସ୍କିଲ ହୋଇପଡେ । ଡାକ୍ତରମାନଙ୍କ ପାଇଁ ଏହା ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ପିଲା ଏ ସବୁ ଜିନିଷ ଗିଳିଲେ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ।

ଯଦି ପିଲା କିଛି ଗିଳି ଦେଉଛି ତେବେ କାହା କଥାରେ ପିଲାଙ୍କୁ କଦଳୀ, ସୁଖିଲା ରୁଟି ଦିଅନ୍ତୁନି । ବରଂ ଡାକ୍ତରଖାନା ନେବା ଯାଏ ଅପେକ୍ଷା କରନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।